fbpx

ତାଲିବାନୀଙ୍କୁ ପଞ୍ଜଶିର ଚାଲେଞ୍ଜ୍, ରଣହୁଙ୍କାର ଦେଉଛନ୍ତି ଏହି ଯୋଦ୍ଧା

ମାଟି ମାଡ଼ିଲେ ମରିବେ ଆତଙ୍କୀ!

ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନର ୩୪ଟି ଅଞ୍ଚଳରୁ ୩୩ଟିରେ ନିଜ ଆଧିପତ୍ୟ ବିସ୍ତାର କରିସାରିଛନ୍ତି ତାଲିବାନୀ । କିନ୍ତୁ ଏବେ ମଧ୍ୟ ପଞ୍ଜଶୀର ଘାଟି ତାଲିବାନୀଙ୍କ ପାଇଁ ଏକ ଆହ୍ୱାନ ହୋଇ ରହିଛି । ଆଉ ନିଜକୁ ରାଷ୍ଟ୍ରପତି ଘୋଷଣା କରିଥିବା ଅମରୁଲ୍ଲା ସଲେହ ରହୁଛନ୍ତି ଏହି ପଞ୍ଜଶୀର ଘାଟିରେ । ତାଲିବାନୀଙ୍କୁ ଉକ୍ତ ଅଞ୍ଚଳ ଜିତିବାକୁ ଆହ୍ୱାନ ଦେଇଛନ୍ତି ଅମରୁଲ୍ଲା । ଲୋକତନ୍ତ୍ରର ଜଣେ ବଳିଷ୍ଠ ଯୋଦ୍ଧା ଭାବେ ପରିଚିତ ଅମରୁଲ୍ଲାଙ୍କ ଭଉଣୀଙ୍କୁ ଆତଙ୍କୀ ତାଲିବାନୀ କଲବଲ କରି ବୀଭତ୍ସ ଭାବେ ହତ୍ୟା କରିଦେଇଥିଲେ । ଏଥିରେ ଖୁବ୍ ଆଘାତ ପାଇଥିବା ଅମରୁଲ୍ଲା ପ୍ରତିଶୋଧର ନିଆଁରେ ଜଳୁଛନ୍ତି ବୋଲି କୁହାଯାଉଛି ।

ରାଷ୍ଟ୍ରପତି ଅଶ୍ରଫ୍ ଘନିଙ୍କ ସମେତ ଅନେକ ନେତା ନିଜ ଜୀବନ ବିକଳରେ ଦେଶ ଛାଡ଼ି ପଳାୟନ କରିଥିବାବେଳେ ଅମରୁଲ୍ଲା ନିର୍ଭୀକ ଭାବେ ପଞ୍ଜଶୀର ଘାଟି ଅଞ୍ଚଳରେ ରହିଛନ୍ତି । ତାଙ୍କ ସହ ଅଛନ୍ତି ଅନ୍ୟତମ ନେତା ଅହମଦ ମସୁଦ । ତାଙ୍କ ପିତା ଅହମଦ ଶାହ ମସୁଦ ମଧ୍ୟ ତାଲିବାନୀଙ୍କ ସହ ଲଢ଼େଇ କରି ପ୍ରାଣ ହରାଇଥିଲେ । ଅମରୁଲ୍ଲା ଓ ଅହମଦଙ୍କ ସମେତ ଆଉ କିଛି ନେତା ହାତରେ ହାତ ମିଶାଇ ଏକ ଆଲିଆନ୍ସ ଗଠନ କରିସାରିଛନ୍ତି । ଯାହାକୁ ଲୋକସମର୍ଥନ ମିଳିବାରେ ଲାଗିଛି । ଅନେକ ଦେଶ ମଧ୍ୟ ସହାୟତା କରିବାକୁ ଆଗ୍ରହ ପ୍ରକାଶ କଲେଣି । ଉଲ୍ଲେଖ ଯୋଗ୍ୟ ଯେ ଗତ ୧୭ ତାରିଖରେ ଅମରୁଲ୍ଲା ଏକ ଅଡିଓ ଟେପ୍ ଜାରି କରିଥିଲେ । ସେଥିରେ ସେ ଘୋଷଣା କରିଥିଲେ ଯେ ଆଫଗାନିସ୍ତାନର ସମ୍ବିଧାନ ଅନୁସାରେ ଯଦି ରାଷ୍ଟ୍ରପତି କୌଣସି କାରଣରୁ ଅନୁପସ୍ଥିତ ବା ଇସ୍ତଫା ଦିଅନ୍ତି ତେବେ ଉପରାଷ୍ଟ୍ରପତି ହିଁ କାର୍ଯ୍ୟନିର୍ବାହୀ ରାଷ୍ଟ୍ରାଧ୍ୟକ୍ଷ ହୋଇଯାଆନ୍ତି । ଏହି ମର୍ମରେ ସେ ନିଜକୁ ରାଷ୍ଟ୍ର ମୁଖ୍ୟ ଭାବେ ଘୋଷଣା କରିଥିଲେ ।

ତାଲିବାନୀଙ୍କୁ ସତର୍କ ଚେତାବନୀ ଦେବା ସହ ଅମରୁଲ୍ଲା ସଲେହ ଆହ୍ୱାନ ଦେଇଛନ୍ତି ଯେ- ମୁଁ ଆମ ଦେଶ ପାଇଁ ସର୍ବଦା ଛିଡ଼ା ହୋଇଛି । ଜଣେ ଜାଗ୍ରତ ପ୍ରହରୀ ଭାବେ ମୋ କର୍ତ୍ତବ୍ୟ କରିବି । ଯୁଦ୍ଧ ଏବେ ବି ସରିନାହିଁ । ଏକଦା ଗୁଇନ୍ଦା ସେବାରେ ନିୟୋଜିତ ଅମରୁଲ୍ଲା ସମ୍ପ୍ରତି ଦେଶର ଶୀର୍ଷ ନେତା ମଧ୍ୟରେ ଜଣେ ଏବଂ ତାଲିବାନୀଙ୍କ ବିରୋଧରେ ଯୁଦ୍ଧ-ଲଢ଼େଇ ପାଇଁ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି ।

ଅମରୁଲ୍ଲାଙ୍କ ଭଉଣୀଙ୍କୁ କଲବଲ କରି ମାରିଥିଲେ ଆତଙ୍କୀ

୧୯୭୨ ଅକ୍ଟୋବରରେ ଅମରୁଲ୍ଲା ସଲେହ ପଞ୍ଜଶୀର ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ । ତାଜିକସ୍ତାନ ମୂଳ ବାସିନ୍ଦାଙ୍କ ପରିବାରରେ ଜନ୍ମିତ ଅମରୁଲ୍ଲା କମ୍ ବୟସରେ ହିଁ ଅନାଥ ହୋଇଯାଇଥିଲେ । ତେବେ ସେହି କମ୍ ବୟସରେ ହିଁ ଅହମଦ ଶାହ ମସୁଦଙ୍କ ତାଲିବାନ ବିରୋଧୀ ଆନ୍ଦୋଳନରେ ସେ ସାମିଲ୍ ହୋଇଯାଇଥିଲେ । ରିପୋର୍ଟ ଅନୁସାରେ ୧୯୯୬ରେ ତାଲିବାନୀମାନେ ଅମରୁଲ୍ଲାଙ୍କ ଭଉଣୀଙ୍କୁ ଅପହରଣ କରିନେବା ସହ ବୀଭତ୍ସ ହତ୍ୟା କରିଥିଲେ । ଏନେଇ ଅମରୁୁଲ୍ଲା ନିଜେ ଟାଇମ୍ ମାଗାଜିନକୁ ଏକଦା କହିଛନ୍ତି ଯେ ୧୯୯୬ ପରଠାରୁ ତାଲିବାନୀଙ୍କ ପ୍ରତି ମୋର ଦୃଷ୍ଟିଭଙ୍ଗୀ ବଦଳି ଯାଇଥିଲା । ୨୦୦୧ ପର୍ଯ୍ୟନ୍ତ ଅହମଦ ଶାହ ମସୁଦଙ୍କ ସହ ଆନ୍ଦୋଳନରେ ସାମିଲ୍ ରହିଥିବା ଅମରୁଲ୍ଲାଙ୍କୁ ୨୦୦୪ରେ ଆଫଗାନିସ୍ତାନର ଇଣ୍ଟେଲିଜେନ୍ସି ଏଜେନ୍ସିର ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଥିଲା । ତେବେ ପରେ ତତ୍କାଳୀନ ରାଷ୍ଟ୍ରପତି ହମିଦ କାରଜାଇଙ୍କ ସହ ମତଭେଦ କାରଣରୁ ସେ ରାଜନୀତିକୁ ଫେରିଥିଲେ । ୨୦୧୦ ଜୁନ୍ ୬ରେ ଏକ ଆତଙ୍କୀ ଆକ୍ରମଣ ପରେ ଅମରୁଲ୍ଲା ଗୁଇନ୍ଦା ସେବାରୁ ଓହରି ଯାଇଥିଲେ ।

Get real time updates directly on you device, subscribe now.