fbpx

ଆମେରିକା ଲଢ଼ିଲା ୨୦ ବର୍ଷ, କିନ୍ତୁ ତାଲିବାନ ଡରିଲାନି କାହିଁକି? ପଢ଼ନ୍ତୁ…

ଓଡ଼ିଶା ଭାସ୍କର ବ୍ୟୁରୋ: ପାଖାପାଖି ୨୦ ବର୍ଷ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ତାଲିବାନୀଙ୍କ ସହ ଲଢ଼ିଲା ଆମେରିକା । କିନ୍ତୁ ହାତରେ ଲାଗିଲାନି କିଛି । ସେହି ଦୁଇ ଦଶନ୍ଧିର ସମୟ ମଧ୍ୟରେ ଆମେରିକା ତାଲିବାନୀଙ୍କ କିଛି ବିଗାଡ଼ି ପାରିଲାନି କି ଆଫଗାନ୍ ପାଇଁ କିଛି ବନେଇ ପାରିଲାନି । ସେପଟେ ଦମ୍ ଛାଡ଼ିଲାନି ତାଲିବାନ । ନିଜକୁ ଆହୁରି ଶକ୍ତ କରି ଛିଡ଼ା ହୋଇପାରିଲା କେମିତି? ଏହା ଏବେ ସାରା ବିଶ୍ୱ ପାଇଁ ଏକ ବଡ଼ ପ୍ରଶ୍ନ । ସେହିପରି ବିଡ଼ମ୍ବନା ଯେ ବ୍ରିଟିଶ୍ ଶାସନରୁ ଅଗଷ୍ଟ ୧୯ରେ ମୁକ୍ତିର ଆନନ୍ଦ ପାଇଥିବା ଆଫଗାନିସ୍ତାନ ସମ୍ପ୍ରତି ଖୁସି ମନାଇବା ବଦଳରେ ଆକାଶରେ ଛାଇ ଯାଇଛି କଳା ବାଦଲ । ପରାଧୀନର ବେଡ଼ିରେ ପୁଣି ତ୍ରାହି ତ୍ରାହି ଡାକୁଛି ଆଫଗାନ।

ଅନ୍ୟପକ୍ଷରେ ଆଫଗାନିସ୍ତାନରେ ଆମେରିକା ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଦେଲା । ସେହିପରି ଆଫଗାନିସ୍ତାନରେ ଅନେକ ନିର୍ମାଣ କାର୍ଯ୍ୟ ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ଆମେରିକା । ୨୦ ବର୍ଷ ପର୍ଯ୍ୟନ୍ତ ଚାଲିଥିବା ଯୁଦ୍ଧ ପଥରେ ୨୪୪୮ ଜଣ ଆମେରିକୀ ସୈନ୍ୟ ସହିଦ୍ ହୋଇଥିବାବେଳେ ୧୧୪୪ ନାଟୋ ସିପାହୀଙ୍କ ମଧ୍ୟ ନିଧନ ହୋଇଗଲା । ଅନ୍ୟପକ୍ଷରେ ଉକ୍ତ ସମୟ ମଧ୍ୟରେ ଆଫଗାନିସ୍ତାନର ୬୬ ହଜାର ସରକାରୀ ସେନା ମଧ୍ୟ ପ୍ରାଣ ହରାଇଛନ୍ତି । ଏତେ ସବୁ ପରେ କଣ ଲାଭ ହେଲା ଏବଂ କାହାକୁ ଲାଭ ହେଲା? ମୋଟେ ଦମ୍ ଛାଡ଼ିନି ତାଲିବାନ କି ପଛକୁ ହଟିନି । ତେଣୁ ଆମେରିକାର ପଦକ୍ଷେପରୁ କିଛି ସୁଫଳ ମିଳିନଥିବା ସ୍ପଷ୍ଟ ।

ଖାଲି ସେତିକି ନୁହେଁ, ୨୦ବର୍ଷ ଅବଧିରେ ଆଫଗାନିସ୍ତାନରେ ଖୁବ୍ ବୋମାବର୍ଷଣ କରିଛି ଆମେରିକା । ସଂଖ୍ୟା ଦୃଷ୍ଟିରୁ ଦେଖିଲେ ୨୦୧୯ରେ ସବୁଠୁ ଅଧିକ ବୋମା ପକାଇଛି ଆମେରିକା । ୨୦୦୬ରେ ସବୁଠୁ କମ୍ ୩୧୦ ବୋମା ପକାଇଥିଲା । ସେହିପରି ୨୦୧୦ରେ ୫୧୦୧ ଓ ୨୦୧୫ରେ ୯୪୭ ବୋମା ବର୍ଷଣ କରିଥିଲା । ଏଭଳି ବୋମାବର୍ଷଣର ଟାର୍ଗେଟ୍ ଥିଲା କେବଳ ତାଲିବାନ । ଲଗାମ ଲଗାଇବାକୁ ଆମେରିକା କରିଥିଲା ଚେଷ୍ଟା । ତେବେ ସମ୍ପ୍ରତି ଆଫଗାନିସ୍ତାନର ସ୍ଥିତିରୁ ଆମେରିକା ବେଶ୍ ବୁଝି ପାରୁଥିବ ନିଜ ବୋମାବର୍ଷଣର ଉଦ୍ଦେଶ୍ୟ । ଏତେସବୁ ପରେ ମଧ୍ୟ ତାଲିବାନକୁ ନିଜ ନିୟନ୍ତ୍ରଣକୁ ଆଣିପାରିଲାନି । ଆଉ ଯେମିତି ଆମେରିକା ନିଜ ସୈନ୍ୟଙ୍କୁ ଫେରାଇନେଲା, ଆଫଗାନରେ ଆତଙ୍କ ରାଜ୍ ଆରମ୍ଭ କରିଦେଲେ ତାଲିବାନ ।

Get real time updates directly on you device, subscribe now.