ବିଳମ୍ବିତ ରାତିରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମିଳିଲା ଜାମିନ୍

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକେରଙ୍କୁ ‘ଚାପୁଡ଼ା’ ମାରିବାକୁ କହି ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଜାମିନ୍ ମିଳିଛି । ରାଣେଙ୍କୁ ମହଦ ମାଜିଷ୍ଟ୍ରେଟ କୋର୍ଟ ଜାମିନ୍ ଦେଇଛନ୍ତି । ୧୫ ହଜାର ଟଙ୍କାରେ ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି । ଆସନ୍ତା ସପ୍ତାହ ୩୦ ଅଗଷ୍ଟ ଓ ସେପ୍ଟେମ୍ବର ୬ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପୂର୍ବରୁ କୋର୍ଟ ରାଣେଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବାବଦରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଗିରଫ ହୋଇଥିଲେ । ଯାହାକୁ ନେଇ ଏବେ ରାଜନୀତି ତୀବ୍ର ହେବାରେ ଲାଗିଛି ଓ ଶିବସେନା ଆକ୍ରମଣାତ୍ମକ ହୋଇପଡିଛି । ଘଟଣାକୁ ନେଇ ନାସିକରେ ନାରାୟଣ ରାଣେଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ନାସିକ ପୋଲିସ ଗିରଫ ପାଇଁ ଆଦେଶ ଦେବା ସହ ୱାରେଣ୍ଟ ଜାରି କରିଥିଲା ।

ଉଲ୍ଲେଖଯୋଗ୍ୟ ଯେ, ନାରାୟଣ ରାଣେ ଉଦ୍ଧବ ଠାକେରଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ ଓ କହିଥିଲେ ଯେ, ଯଦି ସେ ସେଠାରେ ଥାଆନ୍ତେ ତାହେଲେ ମୁଖ୍ୟମନ୍ତ୍ରୀଙ୍କୁ ଜୋରଦାର ଚାପୁଡ଼ା ମାରିଥାନ୍ତେ । କାରଣ ଅଗଷ୍ଟ ୧୫ରେ ନାଗରିକଙ୍କୁ ସମ୍ବୋଧିତ କରିବା ସମୟରେ ମୁଖ୍ୟମନ୍ତ୍ରୀ ସ୍ୱାଧୀନତାରେ ବର୍ଷକୁ ଭୁଲି ଯାଇଥିଲେ । ସେ କହିଥିଲେ, ‘ଏହା ଲଜ୍ଜାଜନକ ବିଷୟ ଯେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଧୀନତାରବର୍ଷ ଜଣାନାହିଁ । ଭାଷଣ ଦେବା ସମୟରେ ସେ ସ୍ୱାଧୀନତାର ବର୍ଷ ଜାଣିବା ପାଇଁ ପଛକୁ ଅନାଇଥିଲେ । ଯଦି ମୁଁ ସେଠାରେ ଥାନ୍ତି, ତାହାଲେ ଜୋରଦାର୍ ଚାପୁଡ଼ା ମାରିଥାନ୍ତି ।’ କେନ୍ଦ୍ରମନ୍ତ୍ରୀ ଏଭଳି ବିବାଦୀୟ ବୟାନ ପରେ ରାଜନୀତି ସରଗରମ ହେବାରେ ଲାଗିଛି ।