fbpx

ଦିଦି ଆଶ୍ୱସ୍ତ: ଚିନ୍ତା ଦୂର କଲେ ନିର୍ବାଚନ ଆୟୋଗ, ଯେଉଁ ଆସନରୁ ଲଢିବେ ସେଠି ସେପ୍ଟେମ୍ବର ୩୦ରେ ଭୋଟିଂ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ବହୁ ପ୍ରତୀକ୍ଷିତ ଉପ ନିର୍ବାଚନର ତାରିଖ ଘୋଷଣା ହୋଇଛି । ନିର୍ବାଚନ ଆୟୋଗଙ୍କ ଏହି ଘୋଷଣା ସହିତ ମମତା ବାନାର୍ଜୀଙ୍କ ସବୁଠୁ ବଡ ଚିନ୍ତା ଦୂର ହୋଇଛି । ଭାରତୀୟ ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର କେବଳ ତିନୋଟି ଆସନ ଏବଂ ଓଡିଶାର ଗୋଟିଏ ଆସନ ପାଇଁ ଉପ ନିର୍ବାଚନର ତାରିଖ ଘୋଷଣା କରିଛନ୍ତିା ଇସିଙ୍କ ଅନୁଯାୟୀ, ଭବାନୀପୁର ବିଧାନସଭା ଆସନରେ ସେପ୍ଟେମ୍ବର ୩୦ରେ ଉପ ନିର୍ବାଚନ ହେବ ଏବଂ ଭୋଟ୍ ଗଣତି ଅକ୍ଟୋବର ୩ ରହିଛି । ପଶ୍ଚିମବଙ୍ଗର ଭବାନୀପୁର ଆସନ ହେଉଛି ସେହି ଆସନ ଯେଉଁଠୁ ମମତା ବାନାର୍ଜୀ ଉପ ନିର୍ବାଚନ ଲଢିବେ ।

ଏଏନଆଇ ଅନୁଯାୟୀ, ନିର୍ବାଚନ ଆୟୋଗ ସେପ୍ଟେମ୍ବର ୩୦ରେ ଭବାନୀପୁର ବିଧାନସଭା ଆସନରେ ଉପ ନିର୍ବାଚନ କରାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ତାରିଖରେ ପଶ୍ଚିମବଙ୍ଗର ସମସେରଗଞ୍ଜ ଓ ଜଙ୍ଗିପୁର ଏବଂ ଓଡିଶାର ପିପିଲି ଆସନରେ ଉପ ନିର୍ବାଚନ ହେବ । ଉପ ନିର୍ବାଚନର ଭୋଟ୍ ଗଣତି ଅକ୍ଟୋବର ୩ରେ ହେବ । କରୋନା କାରଣରୁ ଦେଶର ଅନ୍ୟ ୩୧ ନିର୍ବାଚନ କ୍ଷେତ୍ରରେ ଏବେ ଭୋଟ୍ ହେବ ନାହିଁ ।

ପଶ୍ଚିମବଙ୍ଗରେ ସାତୋଟି ଆସନରେ ଉପ ନିର୍ବାଚନ ହେବାର ଥିଲା । ଏହି ଉପ ନିର୍ବାଚନ ପାଇଁ ଟିଏମସି ବ୍ୟାକୁଳ ଥିଲା ଏବଂ ଶୀଘ୍ର ନିର୍ବାଚନ କରାଇବା ପାଇଁ ଦିନରାତି ଏକ କରି ଦେଇଥିଲା । ଅନେକ ଥର ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲା ଦଳ । ଏହାର କାରଣ ଯଦି ମମତା ବାନାର୍ଜୀ ନଭେମ୍ବର ୫ ସୁଦ୍ଧା ବିଧାନସଭାର ସଦସ୍ୟ ନହୁଅନ୍ତି ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ହରାଇବାକୁ ପଡିବ । ଯେମିତି ଯେମିତି ଏହି ତାରିଖ ନିକଟତର ହୋଇ ଚାଲିଥିଲା ତୃଣମୂଳ କଂଗ୍ରେସର ଚିନ୍ତା ବଢିବାରେ ଲାଗିଥିଲା । ଅନ୍ୟପଟେ ବିଜେପି ଏହି ଉପ ନିର୍ବାଚନକୁ ବିରୋଧ କରି ଆସୁଥିଲା ।

ସୂଚନାଯୋଗ୍ୟ, ମମତା ବାନାର୍ଜୀ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ନିରଜ ପୂର୍ବତନ ଘନିଷ୍ଠ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କଠୁ କଡା ପ୍ରତିଦ୍ୱନ୍ଦ୍ୱିତାରେ ପରାଜିତ ହୋଇଥିଲେ । ଏହି ଆସନର ଫଳାଫଳକୁ ସେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଅଦାଲତରେ ସଂପ୍ରତି ଏହା ବିଚାରଧୀନ ରହିଛି ।

 

Get real time updates directly on you device, subscribe now.