fbpx

ସଡ଼କ ଦୁର୍ଘଟଣା ହ୍ରାସ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ଓଡ଼ିଶା ସହ ୧୪ଟି ରାଜ୍ୟରେ ଲାଗୁହେବ ୭ ହଜାର କୋଟିର ସ୍କିମ୍

ନୂଆଦିଲ୍ଲୀ: ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ତେଣୁ ଏହାକୁ ହ୍ରାସ କରିବା ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ୭୨୭୦ କୋଟି ଟଙ୍କାର ନୂଆ ସ୍କିମ୍ ଲାଗୁ କରାଯିବ । ଦେଶର ୮୫ ପ୍ରତିଶତ ଦୁର୍ଘଟଣା ଘଟୁଥିବା ରାଜ୍ୟ ଓଡ଼ିଶା ସହ ଅନ୍ୟ ୧୪ଟି ରାଜ୍ୟରେ ଏହି ସ୍କିମ୍ ଲାଗୁ ହେବ । କେନ୍ଦ୍ର ପ୍ରାୟୋଜିତ ଏହି ୬ ବର୍ଷିଆ ସ୍କିମ ପାଇଁ କେନ୍ଦ୍ର ସରକାର ୩୬୩୫ କୋଟି, ବିଶ୍ୱବ୍ୟାଙ୍କ ୧୮୧୮ କୋଟି, ଏଡିବି ୧୮୧୮ କୋଟି ସହାୟତା ପ୍ରଦାନ କରିବେ । ମୋଟ ବ୍ୟୟ ଅଟକଳ ମଧ୍ୟରୁ ୬୭୨୫ କୋଟି ୧୪ଟି ରାଜ୍ୟକୁ ଦିଆଯିବ । ସଡ଼କ ଦୁର୍ଘଟଣା ନେଇ ସଚେତନନା ସୃଷ୍ଟି ଓ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବିଚାରକୁ ନେଇ ରାଜ୍ୟଗୁଡ଼ିକୁ ପାଣ୍ଠି ଯୋଗାଇ ଦିଆଯିବ । ସଡ଼କ ଦୁର୍ଘଟଣା ରୋକିବାରେ ରାଜ୍ୟଗୁଡ଼ିକର ପ୍ରଦର୍ଶନକୁ ମାପିବା ପାଇଁ ୧୧ଟି ମାନଦଣ୍ଡକୁ ବ୍ୟବହାର କରାଯିବ । ଫଳାଫଳ ଭିତ୍ତିକ ପ୍ରଦର୍ଶନରେ ଯେଉଁ ରାଜ୍ୟର ପ୍ରଦର୍ଶନ ଉନ୍ନତ ରହିବ, ସେହି ରାଜ୍ୟ ଅଧିକ ପାଣ୍ଠି ପାଇବ । ମୋଟର ଯାନ (ସଂଶୋଧନ) ନିୟମ ୨୦୧୯ ଏ ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ବିଚାର କରାଯାଉଛି ।

ସୂଚନାଯୋଗ୍ୟ ଯେ, ୨୦୧୯ରେ ଦେଶରେ ୪.୪୯ ଲକ୍ଷ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୧ ଲକ୍ଷ ୫୧ ହଜାର ମୃତ୍ୟୁବରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୪ଟି ରାଜ୍ୟରେ ୧ ଲକ୍ଷ ୨୪ ହଜାର ୩୭୯ ଜଣ ମରିଥିଲେ । ଗତ ପାଞ୍ଚବର୍ଷ ଧରି ଏହି ସ୍ତର ମାନ ରହିଛି । ଆସନ୍ତା ୨୦୨୨-୨୩ରେ ସବୁ ରାଜ୍ୟ ପାଇଁ ଏକ ସମନ୍ୱିତ ସଡ଼କ ଦୁର୍ଘଟଣା ଡାଟାବେସ୍ ଆରମ୍ଭ କରାଯିବ । ରାଜପଥ ଓ ପ୍ରମୁଖ ଜିଲ୍ଲା ସଡ଼କଗୁଡ଼ିକରେ ଥିବା ବ୍ଲାକ ସ୍ପଟରେ ସୁଧାର ଆଣିବା ପାଇଁ ଏହାକୁ ବ୍ୟବହାର କରାଯିବ । ରାଜ୍ୟ ରାଜପଥ ଓ ସହରାଞ୍ଚଳରେ ସଡ଼କ ସୁରକ୍ଷା ଅଡିଟ୍ ବାଧ୍ୟତାମୂଳକ କରାଯିବ । ସଡ଼କ ସୁରକ୍ଷା ନେଇ ରାଜ୍ୟଗୁଡ଼ିକ ମଧ୍ୟରେ ଯେପରି ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ, ସେଥିପାଇଁ ଏକ ଚ୍ୟାଲେଞ୍ଜ ରାଉଣ୍ଡ ଆୟୋଜନ କରାଯିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.