ହିନ୍ଦୁଙ୍କୁ ଶକ୍ତି ସଂପନ୍ନ ଏବଂ ସଂଗଠିତ ହେବାର ଆବଶ୍ୟକତା ରହିଛି, ଏହା ସବୁ ସମସ୍ୟାର ସମାଧାନ : ମୋହନ ଭାଗବତ

ନାଗପୁର : ବିଜୟା ଦଶମୀ ଓ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ୯୬ତମ ସ୍ଥାପନା ଦିବସରେ ସଂଘ ପ୍ରମୁଖ ମୋହନ ଭାଗବତ କହିଛନ୍ତି ଦେଶରେ ଅରାଜକତା ମାହୋଲ ସୃଷ୍ଟି କରାଯାଉଛି । କିଛି କଠୋରପନ୍ଥୀ ଲୋକ ଦେଶକୁ ବାଣ୍ଟିବାକୁ ଉଦ୍ୟମ ଚଳାଇଛନ୍ତି । ଏଥିପାଇଁ ହିନ୍ଦୁଙ୍କୁ ବଳ ସଂପନ୍ନ ଏବଂ ସଂଗଠିତ ହେବାର ଆବଶ୍ୟକତା ରହିଛି । ଏହା ହିଁ ସବୁ ସମସ୍ୟାର ସମାଧାନ । ଦେଶରେ ଜନସଂଖ୍ୟାର ଅସମାନତା ସବୁଠୁ ବଡ ସମସ୍ୟା । ସୀମାବର୍ତ୍ତୀ ରାଜ୍ୟଗୁଡିକରେ ଅନୁପ୍ରବେଶ ବଢିବାରେ ଲାଗିଛି ବୋଲି ସଂଘ ପ୍ରମୁଖ କହିଛନ୍ତି । ନାଗପୁରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇସ୍ରାଏଲର ରାଷ୍ଟ୍ରଦୂତ କୋବି ଶୋଶାନି ମଧ୍ୟ ଯୋଗ ଦେଇଛନ୍ତି ।

ସଂଘ ପ୍ରମୁଖ କହିଛନ୍ତି, ଆଜି ହିନ୍ଦୁଙ୍କ ମନ୍ଦିରର ଜମି ହଡପ କରାଯାଉଛି । ଏଥିପାଇଁ ଏହା ଜରୁରୀ ଯେ, ହିନ୍ଦୁ ମନ୍ଦିରର ସଞ୍ଚାଳନ ହିନ୍ଦୁ ଭକ୍ତଙ୍କ ହାତରେ ଦିଆଯାଉ ତଥା ମନ୍ଦିରର ସଂପତ୍ତିର ଉପଯୋଗ ହିନ୍ଦୁ ସମାଜର ସେବାରେ କରାଯାଉ । ଏଥିପାଇଁ ଆମକୁ ସବୁ ପ୍ରକାରର ଭୟରୁ ମୁକ୍ତ ହେବାକୁ ପଡିବ । ଦୁର୍ବଳତା ହିଁ କାପୁରୁଷତାକୁ ଜନ୍ମ ଦେଇଥାଏ । ବଳ, ଶିଳ, ଜ୍ଞାନ ତଥା ସଂଗଠିତ ସମାଜକୁ ହିଁ ଦୁନିଆ ଶୁଣିଥାଏ । ସତ୍ୟ ଏବଂ ଶାନ୍ତି ଶକ୍ତି ଆଧାରରେ ଚାଲିଥାଏ । ସଚେତନ, ସଂଗଠିତ, ବଳସଂପନ୍ନ ଏବଂ ସକ୍ରିୟତା ହିଁ ସମାଜର ସବୁ ସମସ୍ୟାର ସମାଧାନ ବୋଲି ମୋହନ ଭାଗବତ କହିଛନ୍ତି ।

ଅନୁପ୍ରବେଶ ଯୋଗୁଁ ବିଗୁଡୁଛି ଜନ ସଂଖ୍ୟା ସନ୍ତୁଳନ

ସଂଘ ପ୍ରମୁଖ କହିଛନ୍ତି, ଅନୁପ୍ରବେଶ କାରଣରୁ ଜନସଂଖ୍ୟା ସନ୍ତୁଳନ ବିଗିଡିବାରେ ଲାଗିଛି । ବିଶେଷ କରି ସୀମାବର୍ତ୍ତୀ ରାଜ୍ୟଗୁଡିକରେ ଜନସଂଖ୍ୟା ଅସନ୍ତୁଳିତ ହୋଇ ପଡିଛି । ଏଥିପାଇଁ ଜନସଂଖ୍ୟା ନୀତି ଉପରେ ବିଚାର ହେବା ଉଚିତ୍ । ୧୯୫୧ ରୁ ୨୦୧୧ ମଧ୍ୟରେ ଜନସଂଖ୍ୟା ବୃଦ୍ଧିହାରରେ ବହୁତ ଫରକ ଦେଖିବାକୁ ମିଳିଛି । ହିନ୍ଦୁଙ୍କ ଜନସଂଖ୍ୟାହାର ୮୮ ପ୍ରତିଶତରୁ ହ୍ରାସ ପାଇ ୮୩.୮ ପ୍ରତିଶତ ରହି ଯାଇଛି । ଅନ୍ୟପଟେ ମୁସଲିମ ଜନସଂଖ୍ୟାଙ୍କ ଅନୁପାତ ୯.୮ରୁ ବୃଦ୍ଧି ଘଟି ୧୪.୨୩ ପ୍ରତିଶତ ହୋଇଛି । ଏଥିପାଇଁ ଅନୁପ୍ରବେଶ ଉପରେ ରୋକ୍ ଲାଗିବା ଉଚିତ୍ । ସରକାରଙ୍କୁ ଜନସଂଖ୍ୟା ନୀତି ପ୍ରଣୟନ କରିବା ଉଚିତ୍ । ସବୁ ବର୍ଗଙ୍କ ପାଇଁ ସମାନ ନିୟମ ଲାଗୁ ହେବା ଉଚିତ୍ । ଏପରିକି ଏନଆରସି ଜରିଆରେ ଅନୁପ୍ରବେଶକାରୀଙ୍କ ଚିହ୍ନଟ ହେବା ଉଚିତ୍ ବୋଲି ଭାଗବତ କହିଛନ୍ତି ।

ଡ୍ରଗ୍ସରୁ ଦେଶ ମୁକ୍ତ ହେବା ଉଚିତ୍

ସଂଘ ପ୍ରମୁଖ କହିଛନ୍ତି, ନୂତନ ପିଢିରେ ନିଶା ଦ୍ରବ୍ୟ ସେବନ ଅଭ୍ୟାସ ବଢିବାରେ ଲାଗିଛି । ଏଥିପାଇଁ ଡ୍ରଗ୍ସରୁ ଦେଶକୁ ମୁକ୍ତ କରିବାର ପ୍ରୟାସ ହେବା ଉଚିତ୍ । ସେ କହିଛନ୍ତି କରୋନା ମହାମାରୀ ପରେ ଅନଲାଇନ୍ ଶିକ୍ଷାର ପ୍ରସାର ଘଟିଛି । ପିଲାଙ୍କ ହାତରେ ମୋବାଇଲ୍ । ଏମିତିରେ ଓଟିଟି ପ୍ଲାଟଫର୍ମରେ କାହାରି ନିୟନ୍ତ୍ରଣ ନାହିଁ । ସରକାର ଓଟିଟି ପାଇଁ ସ୍ୱତନ୍ତ୍ର ନିୟମ କରିବା ଉଚିତ୍ ବୋଲି ସଂଘ ପ୍ରମୁଖ କହିଛନ୍ତି ।