fbpx

କଲବଲ୍ କରୁଛି ତୈଳ ଦର, ଉଡାଜାହାଜ ଇନ୍ଧନଠୁ ବି ମହଙ୍ଗା ଆପଣଙ୍କ କାର-ବାଇକରେ ବ୍ୟବହୃତ ପେଟ୍ରୋଲ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ୍ ଦର ଆହୁରି ମହଙ୍ଗା ହେବାରେ ଲାଗିିଛି । ପ୍ରଥମେ ୧୦୦ପାର କରି ସାରିଥିବା ତୈଳ ଦାମ ଏବେ ୧୦୫ ଅତିକ୍ରମ କଲାଣି । ତେଲ ଦର ଜନତାଙ୍କୁ କଲବଲ କରୁଛି । କଣ ଆପଣ ଜାଣିଛନ୍ତି କି ଆପଣଙ୍କ କାର ଏବଂ ବାଇକରେ ବ୍ୟବହୃତ ପେଟ୍ରୋଲର ଦାମ ବିମାନର ଇନ୍ଧନଠୁ ମଧ୍ୟ ମହଙ୍ଗା ? କିଛି ଦିନ ସ୍ଥିର ରହିବା ପରେ ଦେଶରେ ପୁଣି ଥରେ ଉପର ମୁହାଁ ହୋଇଛି ପେଟ୍ରୋଲ ଓ ଡିଜେଲ୍ ଦର । ଭାରତରେ ସବୁଠୁ ମହଙ୍ଗା ପେଟ୍ରୋଲ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଲିଟର ପିଛା ୧୧୭.୯୬ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଦିଲ୍ଲୀରେ ଉଡାଜାହାଜରେ ବ୍ୟବହୃତ ଏକ ଲିଟର ଇନ୍ଧନର ମୂଲ୍ୟ କେବଳ ୭୯ ଟଙ୍କା ରହିଛି ।

ପେଟ୍ରୋଲ ଏବେ ବିମାନରେ ବ୍ୟବହାର ହେଉଥିବା ଏଭିଏସନ ଟର୍ବାଇନ ଫ୍ୟୁଏଲ(ଏଟିଏଫ)ଠୁ ୩୩ ପ୍ରତିଶତ ଅଧିକ ମହଙ୍ଗା ରହିଛି । ଦିଲ୍ଲୀରେ ଏଟିଏଫର ମୂଲ୍ୟ ଲିଟର ପିଛା ୭୯ ଟଙ୍କା ରହିଥିବା ବେଳେ ପେଟ୍ରୋଲ ଲିଟର ପ୍ରତି ଦାମ ୧୦୫.୮୪ ଟଙ୍କା ରହିଛି ।

ସୂଚନାଯୋଗ୍ୟ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଶନିବାର କହିଥିଲେ ଯେ, ପେଟ୍ରୋଲ ଓ ଡିଜେଲ ଚାହିଦା କୋଭିଡ୍ ପରେ ଅଧିକ ବଢି ଯାଇଛି । ସରକାର ଏବେ ମୂଲ୍ୟ ସ୍ଥିର ରଖିବା ଉପରେ କାମ କରୁଛନ୍ତି । ଦେଶରେ ବର୍ତ୍ତମାନ ୨୯ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଉପରେ ରହିଛି ।

ସାଧାରଣତଃ ବିମାନରେ ଦୁଇ ପ୍ରକାରର ଇନ୍ଧନ ବ୍ୟବହାର କରାଯାଏ । ପ୍ରଥମ ଜେଟ୍ ଇନ୍ଧନ ଏବଂ ଦ୍ୱିତ୍ୟୀ ଏଭିଗ୍ୟାସ୍ । ଜେଟ୍ ଇନ୍ଧନ କିରୋସିନିରୁ ପ୍ରସ୍ତୁତ ରଙ୍ଗହୀନ ଇନ୍ଧନ । ଏହାର ବ୍ୟବହାର ଟର୍ବାଇନ ଇଞ୍ଜିନ ବିଶିଷ୍ଟ ବିମାନରେ କରାଯାଏ । ଏଭିଗ୍ୟାସକୁ ଏଭିଏସନ ଗ୍ୟାସୋଲିନ କୁହାଯାଏ । ଏହାର ବ୍ୟବହାର ପିଷ୍ଟନ-ଇଞ୍ଜିନ ବିିଶିଷ୍ଟ ଛୋଟ ବିମାନରେ ହୋଇଥାଏ ।

Get real time updates directly on you device, subscribe now.