fbpx

ବାଂଲାଦେଶରେ ଥମୁନି ହିନ୍ଦୁ ବିରୋଧୀ ହିଂସା, ସାମାନ୍ୟ ଫେସବୁକ ପୋଷ୍ଟ ପାଇଁ ଜାଳିଦେଲେ ୨୦ଟି ଘର; ସ୍ଥିତି ଉଦ୍ବେଗଜନକ

ନୂଆଦିଲ୍ଲୀ: ବାଂଲାଦେଶରେ ସାମ୍ପ୍ରଦାୟିକ ହିଂସା ଦିନକୁ ଦିନ ବଢ଼ିବାରେ ଲାଗିଛି । ହିନ୍ଦୁ ମାନଙ୍କ ମୁଖ୍ୟ ପୂଜା ଦୁର୍ଗା ମା’ଙ୍କର ପୁଜା ଅକ୍ଟୋବର ୧୩ ତାରିଖରୁ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ଧରୁନି । ବାଂଲାଦେଶର କୋମିଲ୍ଲା ଠାରେ ଦୁର୍ଗା ପୂଜା ପେଣ୍ଡାଲ୍ ଉପରେ ହମଲା ପରେ ରବିବାର ଦିନ ରଙ୍ଗପୁରର ଉପଜିଲ୍ଲା ପୀରଗଞ୍ଜ ଠାରେ ହିନ୍ଦୁ ମାନଙ୍କ ଘର ଜାଳି ଦିଆଯାଇଥିବା ଖବର ସାମନାକୁ ଆସିଛି ।

ବାଂଲାଦେଶର ମିଡିଆ ହାଉସ୍ ଢ଼ାକା ଟ୍ରିବ୍ୟୁନ୍ ର ଏକ ରିପୋର୍ଟ ଅନୁସାରେ, ଏହି ଘଟଣା ପୀରଗଞ୍ଜର ଏକ ଗାଁରେ ଘଟିଛି । ଅନେକ ସଂଖ୍ୟାରେ କଟ୍ଟରପନ୍ଥୀ ମାନେ ହିନ୍ଦୁ ମାନଙ୍କ ୨୦ଟି ଘର ଜାଳି ଦେଇଛନ୍ତି । କିନ୍ତୁ ସ୍ଥାନୀୟ ସଂଘ ପରିଷଦର ଅଧ୍ୟକ୍ଷଙ୍କ ସୂଚନା ମୁତାବକ, ବିଦ୍ରୋହୀ ମାନେ ୬୫ଟି ଘରରେ ନିଆଁ ଲଗାଇଦେଇଛନ୍ତି । ତେବେ ପୋଲିସ୍ ର କହିବାମୁତାବକ, ଏହି ମାମଲା ଏକ ସୋସିଆଲ ମିଡିଆ ପୋଷ୍ଟ୍ ସହିତ ଜଡ଼ିତ । ଜଣେ ହିନ୍ଦୁ ବ୍ୟକ୍ତି ଫେସବୁକ୍ ରେ କରିଥିବା ଆପତ୍ତିଜନକ ପୋଷ୍ଟ ପରେ ଏହି ଆକ୍ରମଣାତ୍ମକ ସ୍ଥିତି ଦେଖିବାକୁ ମିଳିଛି ।

ତେବେ ଘର ଜାଳିବା ମାମଲାରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଫେସବୁକ୍ ରେ ପୋଷ୍ଟ କରିଥିବା ଯୁବକଙ୍କୁ ଓ ତାଙ୍କ ଘରକୁ ବଞ୍ଚାଇଦେଇଛି । କିନ୍ତୁ ତାଙ୍କ ଘର ଆଖାପାଖରେ ଥିବା ଘର ଗୁଡ଼ିକରେ ଉପଦ୍ରବୀ ମାନେ ନିଆଁ ଲଗାଇ ଦେଇଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ କିଛି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଯାହା ପୀରଗଞ୍ଜ ଅଞ୍ଚଳର ହୋଇଥିବା କୁହାଯାଉଛି । ତେବେ ଢ଼ାକା ଟ୍ରିବ୍ୟୁନ୍ ଏ ସମ୍ପର୍କୀତ ଭାଇରାଲ୍ ଭିଡିଓ ଗୁଡ଼ିକୁ ପ୍ରାମାଣିକ ଭାବରେ କୌଣସି ସୁଚନା ଦେଇନାହିଁ ।

Get real time updates directly on you device, subscribe now.