ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ ନକଲି ଅଣ୍ଡାକୁ ନେଇ ଚର୍ଚ୍ଚା ଜୋର ଧରିଛି । କଟକ ନଗର ନିଗମ (ସିଏମସି) ପକ୍ଷରୁ ଏକ ସପିଂ ମଲରୁ ଶହ ଶହ ନକଲି ଅଣ୍ଡା ଜବତ କରାଯାଇଛି । କଟକ ସହରର ବିଭିନ୍ନ ସ୍ଥାନରେ ନକଲି ବା ସିନ୍ଥେଟିକ୍ ଅଣ୍ଡା ବିକ୍ରି ହେଉଥିବା ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା । ତେବେ ରାଜ୍ୟର ବିଭିନ୍ନ ସହରର ବଜାରଗୁଡ଼ିକରେ ଏହି ଅଣ୍ଡା ଯେ ବିକ୍ରି ହେଉନଥିବା, ତାହାର କୌଣସି ଗ୍ୟାରେଣ୍ଟି ନାହିଁ । କହିବାକୁ ଗଲେ ରାଜ୍ୟବାସୀ ଏକପ୍ରକାର ବିଷ ବଳୟ ମଧ୍ୟରେ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି । ହୁଏତ ଆଗକୁ ବଡ଼ ଧରଣର ନକଲି ଅଣ୍ଡା ଜବତ ହେଲେ ବା ଅଧିକ ଲୋକ ଆକ୍ରାନ୍ତ ହେଲେ ସେତେବେଳେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । କିନ୍ତୁ ସେତେବେଳକୁ ସବୁକିଛି ସରିଯାଇଥିବ, ଶହ ଶହ ଲୋକ ହୁଏତ ମୃତ୍ୟୁମୁଖରେ ପଡ଼ିସାରିଥିବେ ।
ତେବେ ନକଲି ଅଣ୍ଡା ବିକ୍ରି କରୁଥିବା ମଲର ମ୍ୟାନେଜର କୌଣସି ବିଲ୍ ଦେଖାଇ ନ ପାରିବା ସହ ତାଙ୍କର ଉତ୍ତର ସନ୍ଦେହଜନକ ଥିଲା । ସେହିପରି ଗତ ୬ ତାରିଖ ଦିନ ଆଠଗଡ଼ ଅଞ୍ଚଳରୁ ଏକ ଅଣ୍ଡା ବୋଝେଇ ଅଟୋରୁ ୩ ହଜାର ସଚାସଢ଼ା ଅଣ୍ଡା ଜବତ ହୋଇଥିଲା । ଉକ୍ତ ଅଣ୍ଡାରେ ପୋକ ସାଲୁବାଲୁ ହେଉଥିବା ଦେଖାଯାଇଥିଲା, ଯାହାକି ଏକ ପାଉଁରୁଟି କାରଖାନାକୁ ସପ୍ଲାଏ ନିମନ୍ତେ ଯାଉଥିଲା । ଉକ୍ତ ବିଷ ଅଣ୍ଡାରୁ ପ୍ରସ୍ତୁତ ପାଉଁରୁଟିକୁ ହଜାର ହଜାର ଲୋକ ନିଶ୍ଚୟ ଖାଉଥିବେ । ଏନେଇ ଗତ ୨୩ ତାରିଖରେ ଶିଖରପୁରରେ ଥିବା ୩ଟି ବେଆଇନ ପାଉଁରୁଟି ଫ୍ୟାକ୍ଟ୍ରିକୁ ସିଲ୍ କରାଯାଇଥିଲା । ଜଣାପଡ଼ିଛି ଯେ, ଉକ୍ତ କମ୍ପାନୀଗୁଡ଼ିକ ସିଏମସିଠାରୁଫୁଡ୍ ଲାଇସେନ୍ସ ପାଇସାରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି କେଉଁ ଆଧାରରେ ବିନା ରିପୋର୍ଟରେ ଏହି ବିଷ ସୃଷ୍ଟିକାରୀ କମ୍ପାନୀଗୁଡ଼ିକୁ ଲାଇସେନ୍ଦ ପ୍ରଦାନ କରାଯାଇଛି । ବିଶେଷଜ୍ଞଙ୍କ ମତରେ, ନକଲି ଅଣ୍ଡାର ବାହର ଅଂଶକୁ ବନାଇବା ପାଇଁ ଜିପସମ ଚୂର୍ଣ୍ଣ, ଜିଲୋଟିନ, କ୍ୟାଲସିୟମ କାର୍ବୋନେଟର ପ୍ରୟୋଗ ହୁଏ । ଏହିପରି ରାସାୟନିକ ଅଣ୍ଡା ଖାଇଲେ କ୍ୟାନସର, ଅଲଜାଇମର ଦୁର୍ବଳ, ସ୍ମରଣଶକ୍ତି ହ୍ରାସ, ଲିଭର ଖରାପ, ତ୍ୱଚା ସଂକ୍ରମଣ ଆଦି ବୀମାରୀକୁ ଡାକି ଆଣିଥାଏ । ତେଣୁ ବେଳ ଥାଉ ଥାଉ ସରକାର ଏଥିପ୍ରତି ଦୃଢ଼ ପଦକ୍ଷେପ ଗ୍ରହଣ କରିବା ନିହାତି ଜରୁରୀ ।