fbpx

ଜଳବାୟୁ ପରିବର୍ତ୍ତନ କାରଣରୁ ୯ ବର୍ଷ ମଧ୍ୟରେ ଜଳମଗ୍ନ ହୋଇଯିବ ଭାରତର ଏହିସବୁ ସହର

ୱାସିଂଟନ୍‌/ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଯୋଗୁଁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହା ଫଳରେ ଗ୍ଳାସିୟର ତରଳୁଛି । ୨୦୨୧ ମସିହାରେ ଜଳବାୟୁ ପରିବର୍ତ୍ତନ ପୂର୍ବ ଅପେକ୍ଷା ଅଧିକ ଶୋଚନୀୟ ସ୍ଥିତିରେ ପହଂଚି ଯାଇଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ଦିନକୁ ଦିନ ଅବସ୍ଥା ଖରାପ ହେବାରେ ଲାଗିଛି । ତେବେ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷା ଓ ବିଭିନ୍ନ ପ୍ରାକୃତିକ ବିପର୍ୟ୍ୟୟ କାରଣରୁ କିଛି ସହର ଶୀଘ୍ର ସମୁଦ୍ରରେ ଲୀନ ହୋଇଯାଇପାରେ ବୋଲି ଜାତିସଂଘର ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେ କିଛି ବାହାରତୀୟ ସହରକୁ ଚେତାବନୀ ଦିଆଯାଇଛି ।

ଏହି ପରିପ୍ରେକ୍ଷୀରେ, ଜାତିସଂଘର ଇଣ୍ଟର ଗଭର୍ଣ୍ଣମେଣ୍ଟାଲ୍‌ ପ୍ୟାନେଲ୍‌ ଅନ୍‌ କ୍ଲାଇମେଟ୍‌ ଚେଞ୍ଜ୍‌ (ଆଇପିସିସି) ରିପୋର୍ଟକୁ ଆଧାର କରି ଆମେରିକାର ନ୍ୟାସନାଲ୍‌ ଏରୋନେଟିକ୍ସ ଆଣ୍ଡ୍‌ ସ୍ପେଶ୍‌ ଆଡମିନିଷ୍ଟ୍ରେସନ୍‌ (ନାସା) ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ସାରା ବିଶ୍ୱକୁ ସତର୍କ କରାଇ ଦେଇଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ସାରା ବିଶ୍ୱ ସଙ୍କଟର ସାମ୍ନା କରିବ ଓ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଇବ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି । ନାସାର ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଏହି ଜଳବାୟୁର ପରିବର୍ତ୍ତନର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିବ । ଭାରତର କିଛି ଉପକୂଳବର୍ତ୍ତୀ ସହର ଚଳିତ ଶତାଦ୍ଦୀର ଶେଷ ବେଳକୁ ସମୁଦ୍ର ଗର୍ଭରେ ଲୀନ ହୋଇଯିବାର ଆଶଙ୍କା ରହିଛି ।

ୱେବସାଇଟ୍ କୋଷ୍ଟାଲ୍ ରିସ୍କ ସ୍କ୍ରିନିଂ ଟୁଲ୍ ପ୍ରକାଶ କରିଛି “ସମୁଦ୍ର ପତ୍ତନ ବୃଦ୍ଧି ଏବଂ ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ବନ୍ୟା ପରିସ୍ଥିତି ଯୋଗୁଁ ପଶ୍ଚିମବଙ୍ଗର ରାଜଧାନୀ କୋଲକାତା, ଓଡିଶାର କଟକ, ସୁନ୍ଦରବନର କିଛି ଅଂଶ ୨୦୩୦ ମସିହା ବେଳକୁ ଜୁଆର ସ୍ତର ଭିତରକୁ ଚାଲିଯାଇପାରେ । ଯଦି ସମୁଦ୍ର ପତ୍ତନ ବୃଦ୍ଧି ବନ୍ଦ ନହୁଏ, ୨୦୩୦ ମସିହାରେ ଏହା ବର୍ତ୍ତମାନଠାରୁ ମାତ୍ର ୯ ବର୍ଷ ପରେ ଦେଶର ଭବିଷ୍ୟତ ବିପଦରେ ପଡିଯିବ । ଖାଲି ସେତିକି ନୁହେ କେରଳ, କୋଚି ଏବଂ ଅନ୍ୟ ଉପକୂଳବର୍ତ୍ତୀ ସହରଗୁଡିକ ଜୁଆର ସ୍ତରରୁ ଖସିଯିବାର ବହୁତ ବିପଦ ରହିଛି । ତେବେ ଏନେଇ ଜାରି ହୋଇଥିବା ମାନଚିତ୍ରରେ ଭାରତକୁ ଲାଲ ରଙ୍ଗରେ ଚିହ୍ନିତ କରାଯାଇଛି ଏବଂ ଜୁଆର ସ୍ତର ତଳେ ରହିବାର ଆଶଙ୍କା ରହିଛି ।

ରିପୋର୍ଟରେ ଦର୍ଶାଯାଇଛି ଯେ ବିଶ୍ୱ ତାପାମାନ ବୃଦ୍ଧି ଯୋଗୁ ବରଫ ଖଣ୍ଡଗୁଡ଼ିକ ତରଳି ସମୁଦ୍ରରେ ମିଶିବ ଏବଂ ଏହାଫଳରେ ସମୁଦ୍ରର ଜଳସ୍ତର ବୃଦ୍ଧି ପାଇବ । ଫଳରେ ଭାରତର କାଣ୍ଡଲା, ଓଖା, ଭାବନଗର, ମୁମ୍ବାଇ, ମୋରମୁଗାଓ, ମାଙ୍ଗାଲୋର, କୋଚିନ୍‌, ପାରାଦୀପ, ଖିଦିରପୁର, ବିଶାଖାପାଟନମ୍‌, ଚେନ୍ନାଇ ଏବଂ ଟୁଟିକୋରିନ୍‌ ସହର ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କା ରହିଛି । ଏହି ସହରଗୁଡ଼ିକ ପ୍ରାୟ ୨.୭ ଫୁଟ ଜଳ ସ୍ତର ତଳେ ରହିବେ । ଏହାର ଅର୍ଥ ଏହି ସହରଗୁଡ଼ିକରେ ସମୁଦ୍ର ଜଳ ମାଡ଼ି ସ୍ଥଳ ଭାଗରୁ ୨.୭ ଫୁଟ ଉପରେ ପ୍ରବାହିତ ହେବ ।

ଆଇପିସିସିର ରିପୋର୍ଟକୁ ଆକଳନ କରି ନାସା ସମଗ୍ର ବିଶ୍ୱର ସମୁଦ୍ର ପତ୍ତନକୁ ମାପି ଥାଏ । ସୋମବାର ଆଇପିସିସି ରିପୋର୍ଟ ଦେବା ପରେ ନାସା ଏହାର ଆକଳନ କରିଥିଲା । ଏହି ସମୟରେ ନାସା ସମୁଦ୍ର ଜଳରେ ଲୀନ ହେବାକୁ ଥିବା ୧୨ଟି ଭାରତୀୟ ସହରକୁ ଚିହ୍ନଟ କରିଛି । ଯଦି ସମୟ ଥାଉ ଥାଉ ଏଗୁଡ଼ିକ ରୋକା ଯାଇ ନପାରିବ, ତା’ହେଲେ ସ୍ଥିତି ସାଂଘାତିକ ହେବ ବୋଲି ନାସା ଆକଳନ କରିଛି । ୧୯୮୮ ମସିହାରୁ ଆଇପିସିସି ପ୍ରତି ୫ରୁ ୭ ବର୍ଷ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଯୋଗୁ ସାରା ବିଶ୍ୱରେ ଘଟୁଥିବା ସମସ୍ୟା ସମ୍ପର୍କରେ ରିପୋର୍ଟ ଦେଇଥାଏ । ତାପମାତ୍ରାରେ ପରିବର୍ତ୍ତନ ଓ ବରଫ ଖଣ୍ଡ ତରଳିବା ଆଦି ବିଷୟକୁ ଆଇପିସିସି ନିଜ ରିପୋର୍ଟରେ ସ୍ଥାନ ଦେଇଥାଏ ।

 

Get real time updates directly on you device, subscribe now.