fbpx

୨୦୨୦ରେ ଚାଷୀଙ୍କ ଅପେକ୍ଷା ଅଧିକ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି ; NCRB ରିପୋର୍ଟରୁ ଖୁଲାସା

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ୨୦୨୦ ଆର୍ଥିକ ସଙ୍କଟର ବର୍ଷ ଥିଲା । ଏହି ସମୟରେ ବ୍ୟବସାୟୀଙ୍କ ମଧ୍ୟରେ ଆତ୍ମହତ୍ୟା ହାର ୨୦୧୯ ତୁଳନାରେ ୫୦ ପ୍ରତିଶତ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ବ୍ୟବସାୟୀଙ୍କ ମୃତ୍ୟୁ ଚାଷୀଙ୍କ ତୁଳନାରେ ଅଧିକ ରହିଛି ।

ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ବା ଏନସିଆରବି ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଏନେଇ ଖୁଲାସା ହୋଇଛି । ରିପୋର୍ଟ ମୁତାବକ, ବର୍ଷକ ମଧ୍ୟରେ ୧୦,୬୭୭ ଚାଷୀଙ୍କୁ ତୁଳନାରେ ୨୦୨୦ରେ ୧୧,୭୧୬ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି । ପ୍ରାୟ ୧୧,୦୦୦ରୁ ୪,୩୫୬ ଜଣ ‘tradesmen’ ଥିବା ବେଳେ ୪,୨୨୬ ଜଣ ‘vendors’ ଥିଲେ । ବାକି ସମସ୍ତେ ଅନ୍ୟ ବୃତ୍ତି ବର୍ଗରେ ସାମିଲ ଥିଲେ ।

୨୦୧୯ ତୁଳନାରେ ବ୍ୟବସାୟ ସମ୍ପ୍ରଦାୟ ମଧ୍ୟରେ ଆତ୍ମହତ୍ୟା ୨୦୨୦ ରେ ୨୯ ପ୍ରତିଶତ ବୃଦ୍ଧି ପାଇଛି । ବ୍ୟବସାୟୀଙ୍କ ମଧ୍ୟରେ ଆତ୍ମହତ୍ୟା ୨୦୧୯ ରେ ୨,୯୦୬ ରୁ ବଢ଼ି ୨୦୨୦ ରେ ୪,୩୫୬ ହୋଇଛି । ଏହି ସଂଖ୍ୟା ୪୯.୯% ଅଧିକ ହୋଇଛି । ଦେଶରେ ମୋଟ ଆତ୍ମହତ୍ୟା ସଂଖ୍ୟା ୧୦ ପ୍ରତିଶତ ବୃଦ୍ଧି ପାଇ ୧,୫୩,୦୫୨ ରେ ପହଞ୍ଚିଛି, ଯାହା ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ରେକର୍ଡ । ପାରମ୍ପରିକ ଭାବେ, ବ୍ୟବସାୟ ସମ୍ପ୍ରଦାୟ ଅପେକ୍ଷା ଚାଷୀମାନେ ଅଧିକ ଆତ୍ମହତ୍ୟା କରିଥାନ୍ତି । କିନ୍ତୁ କରୋନା ମହାମାରୀ ଯୋଗୁଁ ବ୍ୟବସାୟୀମାନେ ଅଧିକ ଚାପରେ ଥିବାରୁ ସେମାନଙ୍କ ମଧ୍ୟରେ ଆତ୍ମହତ୍ୟା ହାର ଚାଷୀଙ୍କ ତୁଳନାରେ ଅଧିକ ରହିଛି ।

Get real time updates directly on you device, subscribe now.