ଆଜି ଲଘୁଚାପ ଘନୀଭୂତ ହେବା ସମ୍ଭାବନା, ୧୧ରୁ ୧୩ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ମଧ୍ୟମ ଧରଣର ବର୍ଷା ଆଶଙ୍କା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ତାମିଲନାଡୁ ଏବଂ ପୁଡୁଚେରୀରେ ଗତ ଶନିବାର ରାତିରୁ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ମଙ୍ଗଳବାର ତାମିଲନାଡୁ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଥିବାରୁ ସେହି ଅଞ୍ଚଳରେ ଅଧିକ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୋମବାର ସୂଚନା ଦିଆଯାଇଛି ।

ନଭେମ୍ବର ୧୧ ତାରିଖ ରାତିରେ ଏହି ଲଘୁଚାପ ତାମିଲନାଡୁ ସୀମା ଅତିକ୍ରମ କରିବ ବୋଲି ସିଇସି ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ମଙ୍ଗଳବାର ଅପରାହ୍ନରୁ ଆକାଶ ମେଘାଚ୍ଛନ୍ନ ରହିବା ସହ ନଭେମ୍ବର ୧୧ ତାରିଖରୁ ୧୩ ତାରିଖ ମଧ୍ୟରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଘୂର୍ଣ୍ଣିଝଡ ଓ ବଜ୍ରପାତ ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ନଭେମ୍ବର ୧୪ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅନ୍ୟ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଏହା ନଭେମ୍ବର ୧୬ରେ କେନ୍ଦ୍ର ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟବର୍ତ୍ତୀ ହେବାର ଆଶଙ୍କା କରାଯାଉଛି ।