fbpx

୧୫ଟି ରାଜ୍ୟର ଉପନିର୍ବାଚନ ଫଳାଫଳ କି ସନ୍ଦେଶ ଦେଉଛି: ୨୦୨୨ର ୫ଟି ବିଧାନସଭା ନିର୍ବାଚନରେ ଘାଟାରେ ପଡ଼ିପାରେ ଭାଜପା, ପୁଣି ଚେଇଁ ଉଠିଲା କଂଗ୍ରେସ

ନୂଆଦିଲ୍ଲୀ: ନିକଟରେ ୩ଟି ଲୋକସଭା, ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୯ଟି ବିଧାନସଭା ଆସନର ଉପନିର୍ବାଚନ ଫଳ ଆସିଛି । ଏହି ରେଜଲ୍ଟ ବିଶେଷ ଭାବେ କଂଗ୍ରେସ ଓ ବିଜେପି ପରି ଜାତୀୟ ଦଳର ହୃତସ୍ପନ୍ଦନକୁ ବଢ଼ାଇ ଦେଇଛି । ଆଗକୁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଉପନିର୍ବାଚନର ଫଳାଫଳ ରାଜନୈତିକ ଦଳଗୁଡ଼ିକୁ ଚିନ୍ତାରେ ପକାଇ ଦେଇଛି । ବଙ୍ଗଳାରେ ତୃଣମୂଳ କଂଗ୍ରେସ ସମସ୍ତ ଆସନରେ ବାଜିମାତ କରିଛି । ସେହିପରି କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶରେ ବିଜେପିକୁ ହାରର ସାମନା କରିବାକୁ ପଡ଼ିଛି । ହରିୟାଣାରେ ଆଇଏନଏଲଡି ନେତା ଅଭୟ ଚୌତାଲା ବିଜୟୀ ହୋଇଛନ୍ତି । ରାଜସ୍ଥାନରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜର ସ୍ଥିତି ଦୃଢ଼ କରିଥିବା ବେଳେ ଆସାମରେ ବିଜେପି ଓର ସହଯୋଗୀ ଦଳକୁ ସଫଳତା ମିଳିଛି । ତେଲେଙ୍ଗାନାରେ ମଧ୍ୟ ବିଜେପି ବିଜୟ ହାସଲ କରିଥିବା ବେଳେ ବିହାରରେ ଜେଡି(ୟୁ) ନିଜର ସ୍ଥିତି ବଜାୟ ରଖିଛି ।

ତେବେ ଚଳିତ ଉପନିର୍ବାଚନର ମୁଖ୍ୟ କଥା ହେଉଛି, ତିନୋଟି ଲୋକସଭା ଆସନରୁ ବିଜେପି ୨ଟି ହାରିଛି । କର୍ଣ୍ଣାଟକ ଓ ହିମାଳଚରେ ଦଳ କ୍ଷମତାରେ ରହିଥିଲେ ହେଁ ଆଶାନୁରୂପକ ପ୍ରଦର୍ଶନ କରିପାରିନାହିଁ । ହିମାଚଳ ପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପତ୍ନୀ ପ୍ରତିଭା ଦେବୀ ବିଜୟ ହେବା ସହ ବଙ୍ଗଳାରେ ଦିଦିଙ୍କୁ ଯାଦୁ ପୁଣି ଦେଖିବାକୁ ମିଳିଛି । ଦିଦିଙ୍କ ଟିଏମସି ଏବେ ଗୋଆ ଓ ତ୍ରିପୁରାରେ ନିଜର ଖେଳ ଆରମ୍ଭ କରିଦେଇଛି ।

ଦେଶରେ ଭାଜପା କ୍ଷମତାସୀନ ହେବା ପରଠାରୁ ଦେଶର ସର୍ବପୂରାତନ ରାଜନୈତିକ ଦଳ କଂଗ୍ରେସ ଏକ ପ୍ରକାର ନିଷ୍କ୍ରିୟ ହୋଇ ରହିଥିବାର ଦେଖାଯାଉଥିଲା । ମାତ୍ର ଉପନିର୍ବାଚନର ଫଳାଫଳ ଓ ପ୍ରଦର୍ଶନ ସମର୍ଥକଙ୍କ ପାଇଁ ଉତ୍ସାହଜନକ ହୋଇଛି । ସେହିପରି ପଶ୍ଚିମବଙ୍ଗରେ ଦିଦି ନିଜର ଶକ୍ତିକୁ ଆହୁରି ବୃଦ୍ଧି କରିପାରିଛନ୍ତି । ଦିନକୁ ଦିନ ଭାରତୀୟ ରାଜନୀତିରେ ଆଞ୍ଚଳିକ ଦଳଗୁଡ଼ିକ ଶକ୍ତି ବିସ୍ତାର କରିବାରେ ଲାଗିଥିବାରୁ ଆଗାମୀ ଦିନରେ ଭାରତୀୟ ରାଜନୀତିର ଦୃଶ୍ୟପଟ୍ଟ ବଦଳିବ ବୋଲି ଅନୁମାନ କରାଯାଉଛି । ଦେଶରେ ବର୍ତ୍ତମାନ ଇନ୍ଧନ, ତୈଳ, ଗ୍ୟାସର ଦରଦାମ୍ ଆକାଶଛୁଆଁ ହୋଇଥିବା ବେଳେ ତାହା ଶାସକ ଦଳ ପାଇଁ ମୁଣ୍ଡମବିନ୍ଧାର କାରଣ ପାଲଟିଛି । ଆଉ କିଛି ମାସ ପରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଯଦି ଉପନିର୍ବାଚନ ଫଳାଫଳକୁ ଜନମତର ପ୍ରଭାବ ବୋଲି ଗ୍ରହଣ କରାଯାଏ, ତେବେ ଭାଜପା ପାଇଁ ଆଗାମୀ ରାସ୍ତା କଷ୍ଟକିତ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.