fbpx

ଭୟରେ ଥରିବେ ଚୀନ୍‌, ପାକିସ୍ତାନ: ଭାରତକୁ ଏସ୍‌-୪୦୦ ମିସାଇଲ୍‌ ଯୋଗାଣ ଆରମ୍ଭ କଲା ଋଷ

ନୂଆଦିଲ୍ଲୀ: ଭାରତର ଆକାଶ ସୀମା ପାଲଟିବ ଅଭେଦ୍ୟ ଦୁର୍ଗ । ଭୟରେ ଥରିବେ ଭାରତର ଶତ୍ରୁରାଷ୍ଟ୍ର ଚୀନ୍‌ ଓ ପାକିସ୍ତାନ । ବଢ଼ିବ ଭାରତର ଶକ୍ତି । ଭାରତୀୟ ସେନାକୁ ମିଳିବ ଋଷର ଘାତକ ମିସାଇଲ୍‌ ସିଷ୍ଟମ ଏସ୍‌- ୪୦୦ । ଋଷ୍‌ ଭାରତକୁ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ମିସାଇଲ୍‌ ସିଷ୍ଟମ୍‌ ‘ଏସ୍‌-୪୦୦ ଟ୍ରାଇଅମ୍ଫ୍‌’ ଯୋଗାଣ ଆରମ୍ଭ କରିଛି । ଏନେଇ ‘ଫେଡେରାଲ୍‌ ସର୍ଭିସ୍‌ ଫର୍‌ ମିଲିଟାରି- ଟେକ୍ନିକାଲ୍‌ କୋଅପରେସନ୍‌’ ର (ଏଫ୍‌ଏସ୍‌ଏମ୍‌ଟିସି) ନିର୍ଦ୍ଦେଶକ ଡିମିଟ୍ରି ସୁଗାଏଭ୍‌ ସୂଚନା ଦେଇଛନ୍ତି । ସୁଗାଏଭ୍‌ କହିଛନ୍ତି ଯେ ଭାରତକୁ ‘ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମ୍‌’ ଯୋଗାଣ ଆରମ୍ଭ ହୋଇଛି । ନିର୍ଦ୍ଧାରିତ ସୂଚୀମତେ ତାହା ଚାଲିଛି ।

ସୂଚନାଯୋଗ୍ୟ ଯେ, ‘ଏସ୍‌-୪୦୦’ ଯୋଗାଣ ନିମନ୍ତେ ୨୦୧୮ ଅକ୍ଟୋବରରେ ରୁଷ୍‌ ଓ ଭାରତ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଋଷ ସହିତ ଦୀର୍ଘ ଦିନ ଧରି ପ୍ରତିରକ୍ଷା ସମ୍ପର୍କ ପାଇଁ ଭାରତ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲା । ଏହା ଅଧୀନରେ, ଏସ୍-୪୦୦ ପାଇଁ ୫.୪ ବିଲିୟନ ଡ଼ଲାରର ଚୁକ୍ତି ହୋଇଥିଲା । ଏହାପୂର୍ବରୁ ଅଗଷ୍ଟରେ ଋଷର ରାଜ୍ୟ ଅସ୍ତ୍ରଶସ୍ତ୍ର ରପ୍ତାନିକାରୀ ରୋଜୋବୋରୋନେକ୍ସ ପୋର୍ଟର ମୁଖ୍ୟ ଆଲେକ୍ସଜାଣ୍ଡାର୍‌ ମିଖେଭ୍‌ କହିଥିଲେ ଯେ ମଧ୍ୟ ପୂର୍ବ, ଏସିଆ- ପ୍ରଶାନ୍ତ ମହାସାଗରୀୟ ଏବଂ ଆଫ୍ରିକାର ସାତୋଟି ଦେଶ ସହିତ ଏସ୍-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯୋଗାଣ ଉପରେ ଆଲୋଚନା ଚାଲିଛି । ଏସ୍‌-୪୦୦ ମିସାଇଲ୍‌ ସିଷ୍ଟମର ବ୍ୟବହାର ପୂର୍ବରୁ ଚୀନ୍‌ ଏବଂ ତୁର୍କୀ ଦ୍ୱାରା କରାଯାଉଛି । ଋଷ ଦ୍ୱାରା ତିଆରି ହୋଇଥିବା ଏହି ଘାତ ଏସ୍‌- ୪୦୦ ମିସାଇଲ୍‌ ସିଷ୍ଟମ ସବୁଠାରୁ ଆଧୁନିକ ଏୟାର ଡିଫେନ୍ସ ସିଷ୍ଟମ ଅଟେ । ଏହା ୪୦୦ କିଲୋମିଟର ସୀମା ଭିତରେ ଶତ୍ରୁ ପକ୍ଷର ଯେକୌଣସି ବିମାନ, ମାସାଇଲ ଏପରିକି ଡ୍ରୋନ୍‌କୁ ମଧ୍ୟ ନଷ୍ଟ କରିାରିବାରେ ସକ୍ଷମ । ଏହାର ଟ୍ରାକିଂ କ୍ଷମତା ପ୍ରାୟ ୬୦୦ କିଲୋମିଟର । ପ୍ରାୟ ୪୦୦ କିଲୋମିଟର ବ୍ୟାସାର୍ଦ୍ଧରେ ବାୟୁରେ ଶତ୍ରୁ ପକ୍ଷର ଲୁକ୍କାୟିତ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିବା ପାଇଁ ଏହି ସିଷ୍ଟମକୁ ତିଆରି କରାଯାଇଛି । ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଏବଂ ହାଇପରସୋନିକ୍କୁ ଟାର୍ଗେଟ୍‌ କରି ମାରିବାରେ ମଧ୍ୟ ଏହା ସକ୍ଷମ ।

Get real time updates directly on you device, subscribe now.