fbpx

ଛକା ବାଜିବାରୁ ନିଜ ଉପରୁ ନିୟନ୍ତ୍ରଣ ହରାଇଲେ ଶାହିନ ଆଫ୍ରିଦି, ବାଂଲାଦେଶ ବ୍ୟାଟସମ୍ୟାନଙ୍କୁ ମାରିଲେ ବଲ୍, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ : ଟି-୨୦ ବିଶ୍ଵ କପ୍ରେ ପାକିସ୍ତାନ ଦମଦାର ପ୍ରଦର୍ଶନ କରିଥିଲା। ମାତ୍ର ଦଳ ଟ୍ରଫି ଜିତି ପାରିନଥିଲା। ବର୍ତ୍ତମାନ ପାକିସ୍ତାନ ଦଳ ବାଂଲାଦେଶରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳୁଛି। ଶନିବାର ଦୁଇ ଦଳ ମଧ୍ୟରେ ଦ୍ଵିତୀୟ ମ୍ୟାଚ୍ ଚାଲିଥିବା ବେଳେ ପଡିଆରେ ଏମିତି କିଛି ଘଟଣା ଘଟିଛି ଯାହା ନୂତନ ବିବାଦ ସୃଷ୍ଟି କରିଛି। ନିଜ ଉପରୁ ନିୟନ୍ତ୍ରଣ ହରାଇଛନ୍ତି ପାକ୍ ବୋଲର ଶାହିନ ଆଫ୍ରିଦି।
ପାକିସ୍ତାନର ଦ୍ରୁତ ବୋଲର ଶାହିନ ଶାହା ଆଫ୍ରିଦି ବୋଲିଂ କରିବା ସମୟରେ ବାଂଲାଦେଶର ବ୍ୟାଟସମ୍ୟାନଙ୍କ ଉପରକୁ ବଲ୍ ମାରିଛନ୍ତି। ହେଲେ ନିଜର ଏହି କାର୍ଯ୍ୟ ପାଇଁ ସେ ତୁରନ୍ତ ଭୁଲ୍ ମାଗିଛନ୍ତି। ମାତ୍ର ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଢାକାରେ ଖେଳାଯାଇଥିବା ଦ୍ଵିତୀୟ ଟି-୨୦ ମ୍ୟାଚ୍ରେ ବାଂଲାଦେଶ ଦଳ ପ୍ରଥମେ ବ୍ୟାଟିଂ କରୁଥିଲା। ଇନିଂସର ତୃତୀୟ ଓଭର ବୋଲିଂ କରିଥିଲେ ଶାହିନ ଆଫ୍ରିଦି। ହେଲେ ଦ୍ଵିତୀୟ ବଲ୍ରେ ଅଫିଫ୍ ହୁସେନ ଆଫ୍ରିଦିଙ୍କ ବଲ୍ରେ ଛକା ମାରିଥିଲେ। ଏହା ପରେ ଯେବେ ଶାହିନ ଆଫ୍ରିଦି ପରବର୍ତ୍ତୀ ବଲ୍ ଫିଙ୍ଗିଲେ, ଅଫିଫ୍ ଡିଫେନ୍ସ କରିଥିଲେ ଏବଂ ବଲ୍ ଶାହିନଙ୍କ ପାଖରେ ପହଞ୍ଚିଥିଲା।
ହେଲେ କେହି କିଛି ଭାବିବା ପୂର୍ବରୁ ଆଫ୍ରିଦି ବଲ୍ ଧରି ସିଧା ଅଫିଫଙ୍କ ଉପରକୁ ବଲ୍ ମାରିଥିଲେ। ବଲ୍ ଗୋଡରେ ବାଜିବାରୁ ଅଫିଫ୍ ଖସି ପଡିଥିଲେ। ଏହା ଦେଖି ପାକିସ୍ତାନ ଖେଳାଳି ତୁରନ୍ତ ତାଙ୍କ ପାଖରେ ପହଞ୍ଚିଥିଲେ। ଶାହିନ ପରେ ଅଫିଫଙ୍କୁ କ୍ଷମା ମାଗିଛନ୍ତି। ହେଲେ ଛକା ଖାଇବା ପରେ ଶାହିନ ଆଫ୍ରିଦିଙ୍କ ଚେହେରାରେ ଯେଉଁଭଳି ହତାଶ ଭାବ ଦେଖିବାକୁ ମିଳିଥିଲା, ଏଥିରୁ ବୁଝାଯାଇ ପାରିବ ଯେ, ସେ ରାଗରେ ଅଫିଫଙ୍କ ଉପରକୁ ବଲ୍ ଫିଙ୍ଗିଥିଲେ।
ଏହି ମ୍ୟାଚ୍ରେ ଶାହିନ ଶାହା ଆଫ୍ରିଦି ଶାଣିତ ବୋଲିଂ କରିଥିଲେ। ସେ ନିଜର ୪ ଓଭରରେ ୧୫ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ତାଙ୍କର ପୂରା ବୋଲିଂ କୋଟାରେ କେବଳ ଗୋଟିଏ ଛକା ହୋଇଥିଲା।

Get real time updates directly on you device, subscribe now.