fbpx

ଟି-୨୦ ସିରିଜରେ ଫ୍ଲପ୍ , ଏବେ ଟେଷ୍ଟରେ ସାମିଲ୍ ହେବେ ଏହି ତାରକା ବ୍ୟାଟସମ୍ୟାନ

ନୂଆଦିଲ୍ଲୀ : ଭାରତୀୟ ଦଳ ଟି-୨୦ ସିରିଜରେ ୩-୦ରେ କ୍ଲିନ୍ ସୁଇପ୍ କରିଛି । ଏବେ ଟେଷ୍ଟ ସିରିଜ୍ ନଭେମ୍ବର ୨୫ରୁ ଆରମ୍ଭ ହେଉଛି । ଘରୋଇ ମାଟିରେ ଭାରତୀୟ ଦଳର ଟେଷ୍ଟ ରେକର୍ଡ ଦମଦାର ରହିଛି । ମାତ୍ର ବିରାଟ କୋହଲିଙ୍କଠୁ ନେଇ ରୋହିତ ଶର୍ମା ପ୍ରଥମ ଟେଷ୍ଟ ଖେଳୁ ନାହାନ୍ତି । ଏହା ମଧ୍ୟରେ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଟେଷ୍ଟରେ ସାମିଲ୍ କରାଯିବାର ସୂଚନା ମିଳିଛି । ପ୍ରଥମେ ଟେଷ୍ଟ ଦଳରେ ତାଙ୍କୁ ସ୍ଥାନ ମିଳିନଥିଲା । ପ୍ରଥମ ଟେଷ୍ଟରେ ଆଜିଙ୍କ୍ୟ ରାହାଣେ ଦଳର ନେତୃତ୍ୱ ନେବେ । ଏହି ସିରିଜ୍ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଅଂଶ ବିଶେଷ ।
ସୂର୍ଯ୍ୟକୁମାର ଯାଦବ ଶେଷ ଦୁଇଟି ଟି-୨୦ ମ୍ୟାଚରେ ନିରାଶଜନକ ପ୍ରଦର୍ଶନ କରିଥିଲେ । ମିଡ୍ ଡେର ଖବର ଅନୁଯାୟୀ, ସୂର୍ଯ୍ୟକୁମାର କୋଲକାତାରୁ ଟେଷ୍ଟ ଦଳରେ ଯୋଗ ଦେବାକୁ କାନପୁର ଯାଉଛନ୍ତି । ପ୍ରଥମ ଟେଷ୍ଟ କାନପୁରରେ ଖେଳାଯିବ । ୩୧ ବର୍ଷୀୟ ସୂର୍ଯ୍ୟକୁମାର ପ୍ରଥମ ଟି-୨୦ରେ ୬୨ ରନର ଦମଦାର ଇନିଂସ ଖେଳିଥିଲେ । ମାତ୍ର ପରବର୍ତ୍ତୀ ଦୁଇଟି ମ୍ୟାଚରେ ସେ କ୍ରମତଃ ୧ ଓ ୦ ରନରେ ଆଉଟ୍ ହୋଇଥିଲେ । ମାତ୍ର ମୋଟାମୋଟି ତାଙ୍କର ଟି-୨୦ ରେକର୍ଡ ପ୍ରଭାବଶାଳୀ ରହିଛି ।
ମୁମ୍ବାଇର ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଥମ ଶ୍ରେଣୀ କ୍ରିକେଟରେ ରେକର୍ଡ ଉତ୍ସାହଜନକ ରହିଛି । ସେ ୧୨୯ଟି ଇନିଂସରେ ୩୮ ହାରରେ ୫୩୨୬ ରନ କରିଛନ୍ତି । ଏଥିରେ ୧୪ ଶତକ ଏବଂ ୨୬ ଅର୍ଦ୍ଧଶତକ ସାମିଲ୍ । ଅର୍ଥାତ ସେ ୪୦ ଥର ୫୦ରୁ ଅଧିକ ରନର ଇନିଂସ ଖେଳିଛନ୍ତି । ତାଙ୍କର ସର୍ବୋଚ୍ଚ ସ୍କୋର ୨୦୦ ରନ ରହିଛି । ଭାରତୀୟ ଦଳ ପାଇଁ ୩ଟି ଦିନିକିଆ ଏବଂ ୧୧ ଟି-୨୦ ମ୍ୟାଚ୍ ଖେଳିଥିବା ସୂର୍ଯ୍ୟକୁମାରଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଦଳରେ ସୁଯୋଗ ମିଳିପାରେ ।

Get real time updates directly on you device, subscribe now.