ଏଣିକି ATMରୁ ଟଙ୍କା ଉଠାଇବା ପୂର୍ବରୁ ମୋବାଇଲକୁ ଆସିବ OTP: SBI ଗ୍ରାହକଙ୍କ ପାଇଁ ଆସିଲା ନୂଆ ନିୟମ

ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ପକ୍ଷରୁ କ୍ୟାଶ୍ ଟ୍ରାଞ୍ଜାକସନକୁ ନେଇ ନୂଆ ନିୟମ ଜାରି କରାଯାଇଛି । ଯେଉଁମାନେ ୧୦ ହଜାର ଟଙ୍କାରୁ ଅଧିକ ଟଙ୍କା ଏଟିଏମରୁ କାଢ଼ୁଥିବେ, ସେମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ଏଣିକି ଯଦି ଆପଣ ଏହି ପରିମାଣ ଠାରୁ ଅଧିକ ଅର୍ଥ କାଢ଼ିବେ, ତେବେ ସେଥିପାଇଁ ଓଟିପିର ସାହାର ନେବାକୁ ପଡ଼ିବ । ଓଟିପି ଏକ ସୁରକ୍ଷିତ ଅପସନ ଓ ଏଥିରେ ଫ୍ରଡର ଭୟ ନଥିବାରୁ ଏସବିଆଇ ଏହି ତରିକା ଆପଣାଇଛି ।

ଦିନକୁ ଦିନ ବ୍ୟାଙ୍କ ଟ୍ରାଞ୍ଜାକସନ ଫ୍ରଡ୍ ମାମଲା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ବିଭିନ୍ନ ସମୟରେ ଗ୍ରାହକଙ୍କ ସୁବିଧା ପାଇଁ ଏସବିଆଇ ଏପରି ନୂଆ ନୂଆ ପ୍ଲାନ୍ ଘୋଷଣା କରିଥାଏ । ତେବେ ଏହି ନୂଆ ନିୟମ ଲାଗୁ ହେବା ପରେ ଓଟିପି ଆପଣଙ୍କ ପଞ୍ଜିକୃତ ମୋବାଇଲକୁ ଆସିବ । ଉକ୍ତ ଓଟିପିକୁ ଉପଯୋଗ କରି ଆପଣ ଏଟିଏମରୁ ଅର୍ଥ ଉଠାଇ ପାରିବେ । ଗତ ୨୦୨୦ ମସିହାରେ ବ୍ୟାଙ୍କ ପକ୍ଷରୁ ଓଟିପି ଆଧାରିତ ଏଟିଏମ ନେଣଦେଣ ସୁବିଧା ଆରମ୍ଭ କରାଯାଇଥିଲା । ତେବେ ଏସବିଆଇର ଗ୍ରାହକ ଯଦି ଅନ୍ୟ ବ୍ୟାଙ୍କର ଏଟିଏମରୁ ଅର୍ଥ ଉଠାଣ କରିବେ, ସେ କ୍ଷେତ୍ରରେ ଏହି ନିୟମ କାର୍ଯ୍ୟକାରୀ ହେବ ନାହିଁ । ନ୍ୟାସନାଲ ଫାଇନାନ୍ସିଆଲ ସ୍ୱିଚ (ଏନଏଫଏସ) ଲାଗୁ ହେବା ପରେ ଗ୍ରାହକମାନେ ଅନ୍ୟ ଏଟିଏମରୁ ମଧ୍ୟ ଅର୍ଥ ଉଠାଇ ପାରିବେ ବୋଲି ଏସବିଆଇ ପକ୍ଷରୁ କୁହାଯାଇଛି ।