fbpx

ତରଳିବାରେ ଲାଗିଛିି ୩୦ ବର୍ଷ ଧରି ପଡି ରହିଥିବା ୯୨୦ଫୁଟ ଉଚ୍ଚତା ବିଶିଷ୍ଟ ବିଶାଳକାୟ ବରଫଖଣ୍ଡ , ସାମ୍ନାକୁ ଆସିଲା ଉପଗ୍ରହ ଚିତ୍ର

ନୂଆଦିଲ୍ଲୀ: ବର୍ଷ ୧୯୮୬ରେ ଆଣ୍ଟାର୍କଟିକାରୁ ଖସିଥିବା ଏକ ବିଶାଳକାୟ ବରଫଖଣ୍ଡ ଏବେ ଆଗକୁ ବଢିବାରେ ଲାଗିଛି । ଗତ ୩୦ ବର୍ଷ ଧରି ଏହି ବରଫଖଣ୍ଡ ବେଡେଲ୍ ସାଗରରେ ଗୋଟିଏ ସ୍ଥାନରେ ସ୍ଥିର ଥିଲା । କିନ୍ତୁ ଏବେ ଏହା ନିଜ ସ୍ଥାନରୁ ଗତିଶୀଳ ହେବାରେ ଲାଗିଛି ।

ବିିବିସିର ଏକ ରିପୋର୍ଟ ଅନୁଯାୟୀ ଏହି ବରଫଖଣ୍ଡର ନାମ ‘ଏ୨୩ଏ’ । ୟୁରୋପୀୟ ମହାକାଶ ସଂସ୍ଥା ଅନୁଯାୟୀ ଏହି ବରଫଖଣ୍ଡର ଉଚ୍ଚତା ୯୨୦ଫୁଟ ଓ ଏହା ୩୮୦୦ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପି ରହିଛି ।
ଏହି ବରଫଖଣ୍ଡ କେତେବଡ ତାହା ଏହିଥିରୁ ଅନୁମାନ କରିହେବ କି ଏହାର କ୍ଷେତ୍ରଫଳ ବିଶ୍ୱର ୨୯ ଦେଶରୁ ବି ଅଧିକ ହେବ । ଏହାର ଉଚ୍ଚତା କୁତୁବ ମୀନାର ଠାରୁ ୪ ଗୁଣ ଅଧିକ । କୁତୁବ ମୀନାରର ଉଚ୍ଚତା ପ୍ରାୟ ୨୩୮ ଫୁଟ ।
ମିଳିଥିବା ରିପୋର୍ଟ ଅନୁସାରେ ଏହି ବରଫଖଣ୍ଡ ବିଷୁବ ରେଖାର ଉତ୍ତରରେ ୬୦ଡିଗ୍ରୀ ସମାନାନ୍ତର ଦୂରତାରେ ବେଡେଲ୍ ସାଗରରେ ଭାସୁଛି । ବୈଜ୍ଞାନିକ କହିଛନ୍ତି ଏବେ ଏହି ବରଫଖଣ୍ଡ ଧୀରେ ଧୀରେ ତରଳୁଛି । ଏହାର ଛୋଟ ଛୋଟ ଖଣ୍ଡ ବି ଖସିବାରେ ଲାଗିଛି ।

ଉପଗ୍ରହ ଚିତ୍ରରୁ ଜଣାପଡୁଛି କି ଏହି ବରଫଖଣ୍ଡରେ ଏବେ ଗୁମ୍ଫା ପରି ସ୍ଥାନ ସୃଷ୍ଟି ହୋଇଛି । ବୈଜ୍ଞାନିକଙ୍କ ଅନୁମାନ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ବରଫଖଣ୍ଡ ପୁରା ତରଳିଯିବ । ଏହା ତରଳିବା ପରେ ସମୁଦ୍ରରେ ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ଛାଡିଦେଇଯିବ ଯାହା ସମୁଦ୍ର ଜୀବଙ୍କ ଲାଗି ବେଶ୍ ଲାଭଦାୟକ ହେବ ।

Get real time updates directly on you device, subscribe now.