୨ଟି ନବଜାତ ଶିଶୁଙ୍କ କଙ୍କାଳ ବ୍ୟାଗରେ ପୁରେଇ ଥାନାରେ ପହଞ୍ଚିଲେ ମଦ୍ୟପ, ତା ପରେ ଜଣାପଡିଲା ଏଭଳି ସତ

4ବର୍ଷ ତଳେ କରାଯାଇଥିଲା ହତ୍ୟା

କେରଳ: ଜଣେ ମଦ୍ୟପଙ୍କ ବ୍ୟାଗରୁ ମିଳିଲା 2 ଟି ନବଜାତ ଶିଶୁଙ୍କ କଙ୍କାଳ। ଯାହା ସେ ନିଜେ ଆଣି ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେରଳର ତ୍ରିସୁର ଜିଲ୍ଲାରେ। ଏଠାରେ ଜଣେ ଯୁବକ ମଦ ପିଇ ପୋଲିସ ଷ୍ଟେସନରେ ପହଞ୍ଚି ଦାବି କରିଥିଲେ ଯେ ତାଙ୍କ ବ୍ୟାଗରେ ଦୁଇଟି ନବଜାତ ଶିଶୁଙ୍କ କଙ୍କାଳ ଅଛି।

ସେ ଆହୁରି ମଧ୍ୟ କହିଥିଲେ ଯେ, ଏହି ନବଜାତ ଶିଶୁମାନେ ଜଣେ ମହିଳାଙ୍କ ସହ ତାଙ୍କ ସମ୍ପର୍କରୁ ଜନ୍ମ ହୋଇଛନ୍ତି। ଉଭୟ ଶିଶୁଙ୍କ ମୃତ୍ୟୁ ଭିନ୍ନ ଭିନ୍ନ ସମୟରେ ଏବଂ ସ୍ଥାନରେ ହୋଇଥିଲା। ତାପରେ ସେମାନଙ୍କୁ କବର ଦିଆଯାଇଥିଲା।

ପୋଲିସଙ୍କ କହିବା ଅନୁସାରେ, ଯୁବକଙ୍କ ବୟସ ୨୬ ବର୍ଷ ହୋଇଥିବାବେଳେ ସମ୍ପୃକ୍ତ ମହିଳାଙ୍କ ବୟସ ୨୧ ବର୍ଷ। ଉଭୟ ଅବିବାହିତ। ପୋଲିସ ଉଭୟଙ୍କୁ ହେପାଜତକୁ ନେଇ ପଚରାଉଚରା କରିବାରୁ ଜଣାପଡିଥିଲା ଗୋଟିଏ ଶିଶୁ ଚାରି ବର୍ଷ ପୂର୍ବେ ଏବଂ ଅନ୍ୟଟି ଦୁଇ ବର୍ଷ ପୂର୍ବେ ମୃତ୍ୟୁବରଣ କରିଛନ୍ତି।

ଯୁବକଙ୍କ କହିବା ଅନୁଯାୟୀ ପୋଲିସ ଅଧିକାରୀମାନେ ସେହି ଦୁଇଟି କବର ସ୍ଥାନ, ଯାହା ଗୋଟିଏ ସାର୍ବଜନୀନ ଶ୍ମଶାନ ଏବଂ ଅନ୍ୟଟି ଏକ ଘରୋଇ ଜମି, ଯାଞ୍ଚ କରାଯିବ ସହିତ ଫୋରେନସିକ୍ ବିଶେଷଜ୍ଞ ଏବଂ ଡାକ୍ତରୀ ଦଳର ସାହାଯ୍ୟ ନିଆଯିବ ବୋଲି କହିଛନ୍ତି। ଏହା ହତ୍ୟା ମାମଲା କି ନୁହେଁ ତାହାକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି।