ଆସନ୍ତା ୧୦ରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଭାଇରାଲ୍ ହେଉଛି ଏକ ଚିଠି, ଜାଣନ୍ତୁ ଉଚ୍ଚଶିକ୍ଷା ବିଭାଗର ସ୍ପଷ୍ଟୀକରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ ସଂକ୍ରମଣ କାରଣରୁ ବର୍ତ୍ତମାନ ରାଜ୍ୟରେ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିଛି । ତେବେ ଆସନ୍ତା ଫେବୃଆରୀ ମାସ ୧୦ ତାରିଖରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଏକ ଫେକ୍ ଲେଟର ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଉକ୍ତ ଚିଠିଟି ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ଜଣାପଡ଼ିଛି । ଏହି ଚିଠିକୁ ନେଇ ସମସ୍ତ ଅଭିଭାବକ, ଶିକ୍ଷକ, ଛାତ୍ରଛାତ୍ରୀମାନେ ଅଡ଼ୁଆରେ ପଡ଼ିଯାଇଛନ୍ତି ।

ତେବେ ଏହି ନକଲି ଚିଠିକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେବା ପରେ ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନ ଖୋଲିବା ନେଇ କୌଣସି ଚିଠି ଇସ୍ୟୁ କରାଯାଇନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବା କାରଣରୁ ରାଜ୍ୟ ସରକାର ଗତ ୧୦ ତାରିଖରୁ ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦେଇଥିଲେ । ଏହି ସମୟରେ ଛାତ୍ରଛାତ୍ରୀମାନେ ଅନଲାଇନ, ଭର୍ଚୁଆଲ, ଭିଡିଓ ସହ ଅନ୍ୟ ବ୍ୟବସ୍ଥା ମାଧ୍ୟମରେ ଶିକ୍ଷାଦାନ କରିବାକୁ କୁହାଯାଇଥିଲା । ତେବେ ଏହି ଚିଠିଟି କିଏ ଓ କାହିଁକି ଏପରି ଭାଇରାଲ କରିଛି ତାହା ଜଣାପଡ଼ିନାହିଁ । ଗତବର୍ଷ ଗଣଶିକ୍ଷା ବିଭାଗ ନାମରେ ମଧ୍ୟ କେହି ଜଣେ ଅସାମାଜିକ ବ୍ୟକ୍ତି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରିଥିଲା । ପରେ ସେନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦେବା ପରେ ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଆଶ୍ୱସ୍ତ ହୋଇଥିଲେ ।