fbpx

କାର୍ତ୍ତିକ ବ୍ରତ ପାଳୁଛନ୍ତି ମୁସଲମାନ ମହିଳା: ଭୁଲିଗଲେ ନିଜ ଧର୍ମ

ଧର୍ମରେ ସେ ମୁସଲମାନ ମହିଳା, ହେଲେ କଣ୍ଠରୁ ଶୁଭୁଛି ଜଗନ୍ନାଥଙ୍କ ଭଜନ । ଏହାସହିତ ହାତରେ ମଧ୍ୟ ରହିଛି ଜଗା କାଳିଆର କଳାକୃତି । ହିନ୍ଦୁମାନଙ୍କ ଭଳି କାର୍ତ୍ତିକ ମାସରେ ସେ ପଞ୍ଚୁକ ମଧ୍ୟ ପାଳନ କରୁଛନ୍ତି। ଏ ହେଉଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କୁଷପଲ୍ଲା ଗ୍ରାମର ଜରିନା ବିବିଙ୍କ କଥା। ଜରିନା ଜଣେ ମୁସଲମାନ ସମ୍ପ୍ରଦାୟର ହୋଇଥିବା ବେଳେ ଜଗନ୍ନାଥଙ୍କ ବିଭିନ୍ନ ଚିତ୍ର ଆଙ୍କି ସେ ଏବେ ଚର୍ଚ୍ଚାରେ ରହିଛନ୍ତି। କେବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ଵଚକ୍ଷୁରେ ଦେଖିବାର ସୁଯୋଗ ପାଇନାହାନ୍ତି ସତ, ହେଲେ ତାଙ୍କ ସ୍ୱପ୍ନାଦେଶରେ ଆଙ୍କି ଚାଲିଛନ୍ତି ଶ୍ରୀଜୀଉଙ୍କ ଅନେକ ପ୍ରତିଛବି।

ଘର ଦୁଆରେ ଚଉରା ବୃକ୍ଷ, ଘର ଭିତରେ ମଧ୍ୟ ଜଗନାଥଙ୍କ ଫଟୋ ରହିଛି । ଏହାସହିତ ହାତରେ ନଡିଆ ଆଉ ଧୂପ ଦେଇ ନୀତି ପୂଜା କରୁଛନ୍ତି କାଳିଆ ସାଆନ୍ତକୁ । କିଏ ବି କେବେ ଦେଖି ଜାଣିପାରିବେ ନାହିଁ ଜରୀନା ଜଣେ ମୁସଲମାନ ସମ୍ପ୍ରଦାୟର ବୋଲି। ଘରର ଆର୍ଥିକ ଅନଟନରେ ଛନ୍ଦି ହୋଇ ଘର ଛାଡି ସେ ବେଗୁନିଆରେ ରହୁଛନ୍ତି। ତାଙ୍କ ସ୍ୱାମୀ ଜଣେ ଦିନ ମଜୁରିଆ। ଏପରି ଅବସ୍ଥାରେ କିଛି ଦିନ ଚାନ୍ଦୁଆ କାମ ଶିଖିଥିଲେ ଜରୀନା। ଦିନେ ଅସମୟରେ ଭୋକ ପେଟରେ ଶୋଇଥିବା ବେଳେ ରାତିରେ ସ୍ୱପ୍ନରେ ଆସିଥିଲେ ମହାପ୍ରଭୁ । ପରଦିନ ଜଣେ ବୟସ୍କ ଗୁରୁଜନଙ୍କ ପ୍ରେରଣାରେ ଆଙ୍କିଥିଲେ ବଡ ଠାକୁରଙ୍କ ସୁନ୍ଦର ଛବି।

ତେବେ ବଡ଼ କଥା ହେଉଛି, ସେ ଉଭୟ ଧର୍ମ, ସମ୍ପ୍ରଦାୟ ଓ ନୀତିକୁ ବିଶ୍ୱାସ ଆଉ ମାନି ଥାଆନ୍ତି। ଚଳିତ କାର୍ତ୍ତିକ ମାସରେ ପଞ୍ଚୁକକୁ ଉପବାସ ରହି ଚଉରା ମୂଳେ ପାଣି ଢାଳି ସମ୍ପୂର୍ଣ୍ଣ ନିରାମିଷ ରହି ପାଳନ କରିଥାନ୍ତି। ତେବେ ଜଣେ ମୁସଲମାନ ମହିଳା ହୋଇ ପଞ୍ଚୁକ ପାଳୁଥିବା ବେଳେ ଏବେ ବେଶ ପ୍ରଶଂସା ସାଉଁଟିଛନ୍ତି ଜରୀନା ।

Get real time updates directly on you device, subscribe now.