ନୂଆଦିଲ୍ଲୀ: ସାଧାରଣ ଭାବେ ପ୍ରତ୍ୟେକ ଦୋକାନ, ସଂସ୍ଥା, କମ୍ପାନୀ ଏପରିକି ପ୍ରତ୍ୟେକ ଜିନିଷର ଜଣେ ଜଣେ ମାଲିକ ରହିଥାନ୍ତି । ଆମେ ରାସ୍ତାରେ ଯିବା ସମୟରେ ଯେଉଁ ଦୋକାନ ବା ଘର ଉପରେ ନଜର ପଡ଼ିବ, ତା’ର କେହି ନା କେହି ମାଲିକ ନିଶ୍ଚୟ ଥିବେ । ତେବେ ଏପରି ଏକ ଦୋକାନ ଅଛି ଯାହାର କେହି ମାଲିକ ନାହାନ୍ତି । ସବୁଠାରୁ ବଡ଼ କଥା ହେଉଛି ଏପରି ଏକ ଚା’ ଦୋକାନ ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ, ଶତାଧିକ ବର୍ଷ ଧରି ଚାଲି ଆସିଛି । ଏହି ଘଟଣା ଶୁଣିବା ନିହାତି ସଭିଙ୍କୁ ଆଶ୍ଚର୍ଯ୍ୟ କରିଦେବ ।
ପ୍ରକୃତ କଥା ହେଉଛି, ପଶ୍ଚିମବଙ୍ଗର ହୁଗଲିର ସେରାମପୁରରେ ଏପରି ଏକ ନିଆରା ଚା’ ଦୋକାନ ରହିଛି । ସେହି ଦୋକାନଟି ବିନା ମାଲିକରେ ଚାଲିଆସୁଛି । ୯୦ ବର୍ଷ ଧରି ଏହି ଦୋକାନର କୌଣସି ମାଲିକ ନାହାନ୍ତି । ୯୦ ବର୍ଷ ତଳେ ଏହି ଚା’ ଦୋକାନର ଶେଷ ମାଲିକଙ୍କ ବିୟୋଗ ଘଟିଥିଲା । ତାଙ୍କ ପରବର୍ତ୍ତୀ ପୀଢ଼ି ଏହି ଦୋକାନକୁ ଚଳାଇବା ପାଇଁ ବିଶେଷ ଆଗ୍ରୟ ଦେଖାଇ ନଥିଲେ । ଏବେ ସେମାନେ ପ୍ରତିଦିନ ସକାଳୁ ଆସି ଦୋକାନ ଖୋଲି ଚାଲିଯାଇଥାନ୍ତି । ତା’ପରେ ସ୍ଥାନୀୟ ଲୋକମାନେ ଦୋକାନକୁ ସମ୍ଭାଳିଥାନ୍ତି । ଗ୍ରାହକମାନେ ଏହି ଦୋକାନକୁ ଆସି ନିଜେ ଚା’ ପ୍ରସ୍ତୁତ କରି ପିଇଥାନ୍ତି ଓ ଧାର୍ଯ୍ୟ ଦାମ୍ କ୍ୟାଶ ବକ୍ସରେ ରଖିଦେଇ ଚାଲିଯାଆନ୍ତି । ଚାକିରିରୁ ରିଟାୟାର୍ଡ ହୋଇଥିବା ଅଧିକାଂଶ ଲୋକମାନେ ଏହି ଚା’ ଦୋକାନକୁ ଆସି ଚା’ ପିଇଥାନ୍ତି । ତେବେ କେବଳ ଚା’ ପିଇବାକୁ ନୁହେଁ, ବରଂ ପରସ୍ପର ମଧ୍ୟରେ କଥାବାର୍ତ୍ତା ଓ ଟାଇମ୍ ପାସ୍ କରିବାକୁ ଲୋକମାନେ ଏହି ଚା’ ଦୋକାନକୁ ଆସିଥାନ୍ତି । ସବୁଠାରୁ ବଡ଼ କଥା ହେଉଛି, ଆଜି ପର୍ଯ୍ୟନ୍ତ ଏହି ଦୋକାନ ବନ୍ଦ ହୋଇନାହିଁ ।