fbpx

ଆପର ‘ଭଙ୍ଗ’ ରାଜନୀତି, ୩ ମାସରେ ଭାଙ୍ଗିଛି ୫ ରାଜ୍ୟର ସଂଗଠନ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି(ଆପ୍) ବଡ ପଦକ୍ଷେପ ଉଠାଇଛି। ବୁଧବାର ପାର୍ଟି ରାଜ୍ୟ ସଂଗଠନ ଏବଂ ସମସ୍ତ କମିଟି ଭଙ୍ଗ କରିଛି। ପ୍ରଥମ ଥର ଆପ୍ ନିର୍ବାଚନ ପୂର୍ବରୁ କମିଟି ଭାଙ୍ଗିବାକୁ ନିଷ୍ପତ୍ତି ନେଇ ନାହିଁ। ଏହା ପୂର୍ବରୁ ଏପ୍ରିଲରେ ହିମାଚଳ ପ୍ରଦେଶରେ ଦଳ ଏହି ପରି ନିଷ୍ପତ୍ତି ନେଇଥିଲା। ଏହି ପରି ପାର୍ଟି ତିନି ମାସରେ ୫ ରାଜ୍ୟରେ ସଂଗଠନ ଭଙ୍ଗ କରିଛି। ଚଳିତ ବର୍ଷ ଶେଷ ଆଡକୁ ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହୋଇପାରେ।

ପାର୍ଟି ଶୀଘ୍ର ଗୁଜରାଟର ନୂତନ କମିଟି ଗଠନ କରିପାରେ। ଏହା ପୂର୍ବରୁ ସୋମବାର ଗୁଜରାଟ ଗସ୍ତରେ ଆସିଥିବା ପାର୍ଟି ସଂଯୋଜକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ମେହସାଣାରେ ବଡ ରୋଡ ଶୋ କରିଥିଲେ। ଏହି ସମୟରେ ସେ ଭାରତୀୟ ଜନତା ପାର୍ଟିକୁ ରାଜ୍ୟ କ୍ଷମତାରୁ ବାହାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଗୁଜରାଟର ବିଜେପି ଅଧ୍ୟକ୍ଷ ସିଆର ପାଟିଲଙ୍କ ଉପରେ ନାମକୁ ମାତ୍ର ସରକାର ଚଳାଉଥିବା ଆରୋପ ଲଗାଇଥିଲେ।

ଗତ ବର୍ଷ ଏପ୍ରିଲ ୧୧ରେ ହିମାଚଳ ପ୍ରଦେଶରେ ରାଜ୍ୟ ୟୁନିଟ୍ ଭାଙ୍ଗିବାକୁ ଆପ୍ ଘୋଷଣା କରିଥିଲା। ଏହା ପରେ ଦଳ ସୁରଜିତ ଠାକୁରଙ୍କୁ ନୂତନ ରାଜ୍ୟ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି। ଏଥିସହ ରାକେଶ ମଣ୍ଡୋତରାଙ୍କୁ ରାଜ୍ୟ ସଂପାଦକ ଦାୟିତ୍ଵ ଦେଇଛି।

ସେହି ପରି ଏପ୍ରିଲ ୨୯ରେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣାର ପ୍ରାୟ ଦେଢ ମାସ ପରେ ପାର୍ଟି ସମସ୍ତ ସଂଗଠନ ଭଙ୍ଗ କରିଥିଲା। କାରଣ ଦଳ ଉତ୍ତରାଖଣ୍ଡରେ ୭୦ ଆସନରୁ ଖାତା ମଧ୍ୟ ଖୋଲି ପାରିନଥିଲା।

ଏହିପରି ମାର୍ଚ୍ଚ ୨୭ରେ ଦଳ ରାଜସ୍ଥାନର ସମସ୍ତ ସଂଗଠନକୁ ଭାଙ୍ଗିଥିଲା। ଦଳ ରାଜୟରେ ସଦସ୍ୟତା ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛି। ମେ ୨୩ରେ ଗୋଆ କାର‌୍ୟ୍ୟକାରୀ କମିଟି ଭଙ୍ଗ କରିଥିଲା। ଦଳ ଗୋଆ ବିଧାନସଭା ନିର୍ବାଚନରେ ଦୁଇଟି ଆସନ ଜିତି ନିଜର ସ୍ଥିତି ଜାହିର କରିବାରେ ସଫଳ ହୋଇଥିଲା।

Get real time updates directly on you device, subscribe now.