ଅଭିଷେକ ବହୁତ କମ୍ ବୟସରୁ ନିଜ ନେତୃତ୍ୱ ଦକ୍ଷତାକୁ ପ୍ରମାଣିତ କରିଛନ୍ତି, ସେ ମୋ ନେତା…ଜାଣନ୍ତୁ କାହିଁକି ଏମିତି କହିଲେ ପୂର୍ବତନ TMC ସାଂସଦ
କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ସଂରକ୍ଷକ କିମ୍ବା ମାର୍ଗଦର୍ଶକ ମଣ୍ଡଳ ଭଳି କିଛି ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି କି ? ସେ ଆଗାମୀ ପିଢ଼ିକୁ ରାଜନୀତି ହସ୍ତାନ୍ତର କରିବାକୁ ଚାହୁଁଛନ୍ତି କି ? କୋଲକାତା ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଅନେକ ବ୍ୟକ୍ତିଙ୍କ ମନରେ ଏଭଳି ପ୍ରଶ୍ନ ଉଠୁଥିବ । ବାସ୍ତବରେ ତୃଣମୂଳ କଂଗ୍ରେସର ମହାସଚିବ(TMC)ଅଭିଷେକ ବାନାର୍ଜୀଙ୍କ ୩୭ତମ ଜନ୍ମଦିନ ଅବସରରେ ଦଳର ଜଣେ ବରିଷ୍ଠ ନେତା ଅଭିଷେକ ମୁଖ୍ୟମନ୍ତ୍ରୀ ହେବା ନେଇ ସଂକେତ ଦେଇଛନ୍ତି ।
ରାଜ୍ୟସଭାର ପୂର୍ବତନ TMC ସାଂସଦ କୁଣାଳ ଘୋଷଙ୍କ କହିବାନୁଯାୟୀ ‘ଡାଇମଣ୍ଡ୍ ହାର୍ବର’ ସାଂସଦ ଅଭିଷେକ ବାନାର୍ଜୀ ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଅଭିଷେକଙ୍କ ଜନ୍ମଦିନ ପୂର୍ବ ସଂଧ୍ୟାରେ ଶ୍ରୀ ଘୋଷ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଥିଲେ । ଅପରପକ୍ଷରେ ଶ୍ରୀ ଘୋଷଙ୍କ ଏଭଳି ବୟନକୁ ନେଇ ବିରୋଧୀ ଦଳ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । କ୍ଷମତାସୀନ ଦଳ ଉପରେ ବିରୋଧୀ ପରିବାରବାଦ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି । ଶ୍ରୀ ଘୋଷ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଲେଖିଥିଲେ, ‘ଅଭିଷେକ ବାନାର୍ଜୀ ବହୁତ କମ୍ ବୟସରୁ ନିଜ ନେତୃତ୍ୱ ଦକ୍ଷତାକୁ ପ୍ରମାଣିତ କରିଛନ୍ତି । ମୁଁ ରାଜନୀତିରେ ସକ୍ରିୟ ରୁହେ ନ ରୁହେ ଏହି ଉଦ୍ଦୀୟମାନ ତାରକାଙ୍କୁ ଅତି ନିକଟରୁ ଦେଖିବି ।’ ସେ ଅହୁରି ମଧ୍ୟ କହିଥିଲେ କି ଅଭିଷେକଙ୍କ ବୟସ କମ୍ ଥିଲେ ମଧ୍ୟ ସେ ମୋର ନେତା । ମୋ ମନରେ ତାଙ୍କ ପ୍ରତି ସ୍ନେହ ଓ ଆଦର ରହିଛି । ମୁଁ ଅନେକ ବର୍ଷରୁ ମମତା ବାନାର୍ଜୀଙ୍କୁ ନେତୃତ୍ୱ କରୁଥିବାର ଦେଖିଆସୁଛି । ଏବେ ମୁଁ ଅଭିଷେକଙ୍କୁ ଉଦ୍ଦୀୟମାନ ନେତା ଭାବେ ଦେଖୁଛି । ସମୟ ସହ ସେ ଆହୁରି ଅଭଜ୍ଞତା ହାସଲ କରିବେ । ଆଧୁନିକ ପଦ୍ଧତି ଏବଂ ପ୍ରଯୁକ୍ତିବିଦ୍ୟାର ମିଶ୍ରଣରେ ସେମାନେ ନିଜ କୌଶଳକୁ ଆହୁରି ଅଧିକ ଧାର ଦେଉଛନ୍ତି ।
ଅଭିଷେକ ଦିନେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେବେ ଏବଂ ତୃଣମୂଳ କଂଗ୍ରେସକୁ ଏକ ନୂତନ ଯୁଗକୁ ନେଇଯିବେ । ସେ ମମତା ବାନାର୍ଜୀଙ୍କ ଭାବନା ଏବଂ ଉତ୍ତରାଧିକାରୀର ପ୍ରତୀକ । ତେବେ ଜଣେ ନେତାଙ୍କ ଦାବିକୁ ନେଇ କୌଣସି ନିଷ୍ପତ୍ତିରେ ପହଂଚିବା ଠିକ୍ ନୁହେଁ । ତଥାପି ଏନେଇ ରାଜନୈତିକ ମାହୋଲ ବେଶ ସରଗରମ ରହିଛି ।