fbpx

ଏସିଏଫ୍ ସୌମ୍ୟ କେସରେ ସନ୍ଦେହରେ ଥିଲେ ଜଙ୍ଗଲ ମନ୍ତ୍ରୀ, ମମିତା କେସରେ ଗୃହ ମନ୍ତ୍ରୀ: ଦୁଃଖର କଥା କାହାକୁ ମିଳୁନି ନ୍ୟାୟ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଏକଦା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ସୌମ୍ୟଙ୍କ ପରିବାର ବର୍ଗ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଆସୁଥିଲେ । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହିତ ଡିଏଫଓଙ୍କର ଅନୈତିକ ସମ୍ପର୍କ ରହିଥିବାରୁ ସେ ଷଡ଼ଯନ୍ତ୍ରକରି ସୌମ୍ୟଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ ତାଙ୍କର ବାପା । ବିଭିନ୍ନ ସମୟରେ ସୌମ୍ୟଙ୍କ ମୃତ୍ୟୁର ତଦନ୍ତ ଦିଗକୁ ନେଇ ଉଠିଥିଲା ଅନେକ ପ୍ରଶ୍ନ । ଏପରିକି ଡିଏଫଓଙ୍କ ସହିତ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସୁସମ୍ପର୍କ ରହିଥିବାରୁ ଜାଣିଶୁଣି ଏହି କେଶକୁ ଚପାଇ ଦିଆଯାଉଥିବା ଅଭିଯୋଗ କରିଥିଲେ ସୌମ୍ୟଙ୍କ ବାପା । ତେବେ ସେ ଯାହା ବି ହେଉ, ଶେଷରେ କ୍ରାଇମବ୍ରାଞ୍ଚ ଏହାକୁ ଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ପ୍ରମାଣିତ କରିଥିଲା । ଏହି ଘଟଣାରେ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ନଥିବା ବେଳେ ଏବେ ବି ସୌମ୍ୟଙ୍କ ପରିବାରବର୍ଗ ନ୍ୟାୟ ନ ପାଇଁ ହତାଶ ହୋଇ ରହିଛନ୍ତି ।

ଅନୁରୂପ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ କ୍ଷେତ୍ରରେ । ମମିତା ହତ୍ୟାକାଣ୍ଡ ଘଟଣାରେ ବିଭିନ୍ନ ସମୟରେ ନୂଆ ନୂଆ ତଥ୍ୟ ସାମନାକୁ ଆସିଥିଲା । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ହତ୍ୟା କିପରି କରିଥିଲା ତା’ର ଡେମୋ ଦେଖାଇଥିଲା । ତେବେ ଗୋବିନ୍ଦର ବୟାନରୁ ଅନେକ ରହସ୍ୟ ସାମନାକୁ ଆସିଥିଲା । ଗୋବିନ୍ଦ ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ସୁସମ୍ପର୍କ ରହିବା ସହ ମନ୍ତ୍ରୀ ନିଜେ ଏହି ହତ୍ୟାକାଣ୍ଡରେ ସାମିଲ ରହିଥିବା ଅଭିଯୋଗ ହୋଇଥିଲା । ବିଜେପି, କଂଗ୍ରେସ, ନାରୀସଂଘ, କିନ୍ନର ସଂଘ, ମାଓବାଦୀଙ୍କ ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଥିଲେ ହେଁ କୌଣସି ଫଳ ମିଳି ନାହିଁ । ସୌମ୍ୟ କେଶରେ ଯେଭଳି ଜଙ୍ଗଲ ମନ୍ତ୍ରୀଙ୍କର କିଛି କ୍ଷତି ହୋଇନଥିଲା, ଅନୁରୂପ ଭାବେ ମମିତାଙ୍କ କ୍ଷେତ୍ରରେ ମଧ୍ୟ ଶକ୍ତି ଓ ଗୃହମନ୍ତ୍ରୀଙ୍କର କିଛି କ୍ଷତି ହୋଇନଥିବା ଦେଖିବାକୁ ମିଳିଛି । ଦୁଇଟି ଘଟଣାରେ ରାଜ୍ୟର ଦୁଇଜଣ ମନ୍ତ୍ରୀ ସାମିଲ ରହିଥିବା ଅଭିଯୋଗ ହୋଇଥିଲା । ସୌମ୍ୟ କେଶରେ ତାଙ୍କର ପରିବାରବର୍ଗ ନ୍ୟାୟ ପାଇନଥିବା ବେଳେ ମମିତାଙ୍କ କ୍ଷେତ୍ରରେ ମଧ୍ୟ ପାଇବାର ଆଶା କ୍ଷୀଣ । କୁହାଯାଏ, ଯେଉଁ ଘଟଣାରେ ରାଜନେତାଙ୍କ ସମ୍ପୃକ୍ତି ନେଇ ସାମାନ୍ୟ ସନ୍ଦେହ ଆସେ, ସେ କ୍ଷେତ୍ରରେ ନ୍ୟାୟ ଆଶା କରିବା ବୋକାମି ଛଡ଼ା ଆଉ କିଛି ନୁହେଁ । ସୌମ୍ୟ ଓ ମମିତାଙ୍କ ପରି ଦୁଇ ଭାଗ୍ୟହୀନ ପରିବାରଙ୍କ କ୍ଷେତ୍ରରେ ଏହି ଉକ୍ତିଟି ନିଶ୍ଚିତ ଭାବେ ପ୍ରତୀୟମାନ ହୋଇଛି ।

Get real time updates directly on you device, subscribe now.