fbpx

ବେଣାପଞ୍ଜୁରୀ ଗାଁ’ର ନାବାଳକ ଛାତ୍ର ହତ୍ୟା ଘଟଣାରେ ACP ପ୍ରଦୀପ ରାଉତଙ୍କ ସୂଚନା; ସବୁ ଦିଗରୁ ତଦନ୍ତ ଚାଲିଛି

Advertisement

ଓଡିଶା ଭାସ୍କର; ଜଟଣୀ ଅଞ୍ଚଳର ବେଣାପଞ୍ଜୁରୀ ଗାଁ’ର ନାବାଳକ ଛାତ୍ର ହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଲେ ଏସିପି ପ୍ରଦୀପ ରାଉତ । ଏହି ହତ୍ୟା ଘଟଣାକୁ ନେଇ ସବୁ ଦିଗରୁ ତଦନ୍ତ ଚାଲିଥିବା ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଘଟଣାର ତଦନ୍ତ ପାଇଁ ବିଭିନ୍ନ ଟିମ୍ ଗଠନ କରାଯାଇଛି । ଏହା ସହ ସାଇଣ୍ଟିଫିକ୍ ଟିମର ମଧ୍ୟ ସହାୟତା ନିଆଯାଉଛି ଏବଂ ଘଟଣାର ସବୁ ଦିଗରୁ ତଦନ୍ତ ଚାଲିଛି ।

ସୂଚନା ଥାଉକି, ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ବେଣାପଞ୍ଜୁରୀ ଗାଁ’ର ଏକ ନାବାଳକ ଛାତ୍ରକୁ ଅତି ନିର୍ମମ ଭାବେ ଛୁରୀ ଭୂଷି ହତ୍ୟା କରାଯାଇଛି । ଆଜି ସନ୍ଧ୍ୟା ସମୟରେ ନାବାଳକ ଛାତ୍ର ଜଣଙ୍କ ଘରେ ପାଠ ପଢ଼ୁଥିବା ବେଳେ କେହି ଜଣେ ଅଜଣା ବ୍ୟକ୍ତି ହଠାତ ଘର ଭିତରକୁ ପଶି ଆସି ତାଙ୍କୁ ଛୁରା ମାଡ଼ କରିଥିଲେ । ଏହା ପରେ ନାବାଳକ ଛାତ୍ର ଜଣଙ୍କୁ ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କାହିଁକି ଅଜଣା ବ୍ୟକ୍ତି ଜଣଙ୍କ ଏଭଳି ହତ୍ୟାକାଣ୍ଡ ଘଟାଇଛନ୍ତି ସେନେଇ କାରଣ ବର୍ତ୍ତମାନ ସୁଦ୍ଧା ବି ଅସ୍ପଷ୍ଟ ରହିଛି । ଅନ୍ୟପଟେ ପୋଲିସ ଘଟଣା ସ୍ଥଳକୁ ଯିବା ସହ ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାର ସବୁ ଦିଗରୁ ତଦନ୍ତ ଚାଲିଥିବା ଏସିପି ପ୍ରଦୀପ ରାଉତ ସୂଚନା ଦେଇଛନ୍ତି ।

ଏଠାରେ କହି ରଖୁଛୁ ଯେ, ବେଣାପଞ୍ଜୁରୀ ଗାଁ’ର ମୃତ ନାବାଳକ ଛାତ୍ର ଶୁଭମ ସ୍ୱରୂପ ପାଲଟା ସିଂ ହେଉଛନ୍ତି ମନୋଜ କୁମାର ପାଲଟା ସିଂଙ୍କ ପୁଅ । ତାଙ୍କ ବାପା ଏକ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ୟ୍ୟରତ ରହିଥିବା ବେଳେ ଶୁଭମ ଜଣେ ନବମ ଶ୍ରେଣୀର ଛାତ୍ର । ଆଜି ସନ୍ଧ୍ୟାରେ ଶୁଭମ ତଳ ଘରେ ବସି ପାଠ ପଢୁଥିଲେ । ଏହି ସମୟରେ ତାଙ୍କ ବାପା ଓ ମାଆ ଏବଂ ଭଉଣୀ ଉପର ଘରେ ଥିଲେ । ବାପା ଉପର ଘରେ ଟ୍ୟୁସନ ପଢ଼ାଉଥିବା ବେଳେ ପୁଅ ଏକୁଟିଆ ତଳ ଘରେ ବସି ପାଠ ପଢୁଥିଲା । ତେବେ ତଳ ଘରୁ ହଠାତ ଚିତ୍କାର ଶବ୍ଦ ଶୁଣି ଉପର ଘରୁ ତଳ ଘରକୁ ଶୁଭମଙ୍କ ପରିବାର ଲୋକ ଦୌଡ଼ି ଆସିଥିଲେ ।

ଏହା ପରେ ଶୁଭମଙ୍କୁ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଅନ୍ୟପଟେ କେହି ଜଣେ ବ୍ୟକ୍ତି ଘର ଭିତରୁ ଦୌଡ଼ି ପଳାଉଥିବାର ସେ ପଛ ପଟୁ ଦେଖିବାକୁ ପାଇଥିଲେ । ବ୍ୟକ୍ତି ଜଣଙ୍କ ଫେରାର ହେଇଯାଇଥିବା ବେଳେ ଶୁଭମଙ୍କୁ ପରିବାର ଲୋକେ ମେଡିକାଲକୁ ନେଇଯାଇଥିଲେ । ହେଲେ ମେଡିକାଲ ଯିବା ବାଟରେ ଶୁଭମଙ୍କର ଦେହାନ୍ତ ଘଟିଥିଲା । ତେବେ କେଉଁ କାରଣରୁ ଓ କାହିଁକି ଶୁଭମଙ୍କୁ ଅଜଣା ଯୁବକ ଜଣକ ହତ୍ୟା କରିଛନ୍ତି ସେନେଇ କୌଣସି କାରଣ ଜଣା ପଡ଼ିନାହିଁ । ଶୁଭମ ଜଣେ ମେଧାବୀ ଛାତ୍ର ଓ ସେ ଆଦର୍ଶ ବିଦ୍ୟଳୟରେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି । ଯେହେତୁ ଶୁଭମ ଜଣେ ମେଧାବୀ ଛାତ୍ର ତାଙ୍କର କାହା ସହ ଶତ୍ରୁତା ନଥିବା ପରିବାର ଲୋକେ କହିଛନ୍ତି । ଏହା ତାଙ୍କ ପରିବାରର ମଧ୍ୟ କାହା ସହ ଶତ୍ରୁତା ନଥିବା ପରିବାର ଲୋକେ ବୟାନ ରଖିଛନ୍ତି । ତେବେ କାହିଁକି ଓ କିଏ ଶୁଭମଙ୍କୁ ହତ୍ୟା କରିଛି ସେନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 

Get real time updates directly on you device, subscribe now.