fbpx

ପିଲାଙ୍କ ଅନଲାଇନ୍ ଗେମିଂ ଅଭ୍ୟାସକୁ ନେଇ ଅଭିଭାବକ ଓ ଶିକ୍ଷକଙ୍କ ପାଇଁ ଜାରି ହେଲା ଗାଇଡଲାଇନ୍, ଜାଣନ୍ତୁ କଣ ରହିଛି

ନୂଆଦିଲ୍ଲୀ: ପିଲାମାନଙ୍କୁ ଅନଲାଇନ୍ ଗେମିଂ ବିପଦରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ଅଭିଭାବକ ଏବଂ ଶିକ୍ଷକମାନଙ୍କ ପାଇଁ ଆଡଭାଇଜରି ଜାରି କରିଛନ୍ତି । ଏଥିରେ ଗେମ୍ ଡାଉନଲୋଡ୍ କରିବା ସମୟରେ ବ୍ୟକ୍ତିଗତ ସୂଚନା ନ ଦେବା, ପର୍ସନାଲ୍ ମେସେଜିଂ କିମ୍ବା ଅନଲାଇନ୍ ଚାଟ୍ ମାଧ୍ୟମରେ କୌଣସି ଅପରିଚିତ ବ୍ୟକ୍ତିଙ୍କ ସହ ଯୋଗାଯୋଗ ନକରିବାକୁ ପରାମର୍ଶ ଦିଆଯାଇଛି । ଏହା ବ୍ୟତୀତ ପିଲାଙ୍କୁ ଅନଲାଇନ୍ ରେ ନିଜ ଅସଲ ପରିଚୟ ଲୁଚାଇବାକୁ ପାଇଁ ପରିବର୍ତ୍ତିତ ନାମ(ଅବତାର)କୁ ପ୍ରୟୋଗ କରିବା ଉପରେ ରୋକ୍ ଲଗାଇବାକୁ ଗାଇଡଲାଇନ୍ ରେ କୁହାଯାଇଛି ।

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଦିନ ସମସ୍ତ ରାଜ୍ୟ, ପ୍ରଦେଶ ଶିକ୍ଷା ବୋର୍ଡ, ସିବିଏସଇ ବୋର୍ଡକୁ ସେଫ୍ ନ୍ଲାଇନ୍ ଗେମିଂ ନାମରେ ଏକ ଆଡଭାଇଜରୀ ଜାରି କରାଯାଇଛି । ମନ୍ତ୍ରାଳୟର ସାଇବର୍ ବିଶେଷଜ୍ଞଙ୍କ କହିବା କଥା ଯେ, ମହାମାରୀ କାରଣରୁ ଗତ ବର୍ଷ ମାର୍ଚ୍ଚ ଠାରୁ ସ୍କୁଲ ପିଲାମାନେ ଅନଲାଇନ୍ ପ୍ଲାଟଫର୍ମରେ ପାଠ ପଢ଼ୁଛନ୍ତି । ଏହି ଅବଧିରେ ପିଲାମାନଙ୍କ ମଧ୍ୟରେ ମୋବାଇଲ୍ ଇଣ୍ଟରନେଟ୍ ବ୍ୟବହାର କରିବାର ମାତ୍ରା ବୃଦ୍ଧି ପାଇଛି । ଅଧିକାଂଶ ପିଲା ପାଠ ପଢ଼ିବା ସମୟରେ ଓ ଅନ୍ୟ ସମୟରେ ଗେମ୍ ଖେଳୁଛନ୍ତି । ତେବେ ଏହି ଅନଲାଇନ୍ ଗେମିଂ ପିଲାଙ୍କ ଉପରେ ଅନେକ ପ୍ରଭାବ ପକାଉଛି ।

ଏହା ବ୍ୟତୀତ ଗେମିଂ କମ୍ପାନୀ ଗୁଡ଼ିକ ଭାବନାତ୍ମକ ରୂପରେ ପିଲାମାନଙ୍କୁ ଗେମିଂ ଆପ୍ କିଣିବାକୁ ପ୍ରଲୋଭିତ କରୁଛନ୍ତି । ଅଭିଭାବକ ମାନଙ୍କ ଅଗୋଚରରେ ପିଲାମାନେ ସାଇବର୍ ଠକେଇରେ ଫସି ଯାଉଛନ୍ତି । ତେଣୁ ଏଥିରୁ ବର୍ତ୍ତିବା ପାଇଁ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ଆଡଭାଇଜରୀ ପ୍ରସ୍ତୁତ କରାଯାଇଛି । ଗାଇଡଲାଇନ୍ ରେ କୁହାଯାଇଛି ଯେ,

୧. ପିଲାମାନଙ୍କୁ ବୁଝାନ୍ତୁ ଯେ, ଇଣ୍ଟରନେଟ୍ ରେ ଗେମ୍ ଖେଳିବା ସମୟରେ କୌଣସି ପ୍ରକାର ବ୍ୟକ୍ତିଗତ ତଥ୍ୟ ଦେବେ ନାହିଁ । ୱେବକମ୍, ବ୍ୟକ୍ତିଗତ ତଥ୍ୟ କିମ୍ବା ଅନଲାଇନ୍ ଚାଟ୍ ଜରିଆରେ କୌଣସି ବି ଅଜଣା ବ୍ୟକ୍ତିଙ୍କ ସହିତ କଥା ନହେବେ ।

୨. ଅନଲାଇନ୍ ଗେମ୍ ଖେଳିବା ସମୟରେ କିଛି ବି ଭୁଲ୍ ହେଲେ ଖେଳକୁ ଆଗକୁ ନ ବଢ଼ାଇ ତାର ସ୍କ୍ରିନ୍ ସଟ୍ ନେଇଯିବେ ।

୩. ଅନଲାଇନ୍ ପ୍ଲାଟଫର୍ମରେ ଗୋପନୀୟତା ବଜାୟ ରଖିବା ପାଇଁ ପିଲାମାନଙ୍କୁ ସଚେତନ କରନ୍ତୁ । ଏହି ଗୋପନୀୟତାର ଅର୍ଥ ହେଉଛି ଯେ ସେମାନଙ୍କୁ ସେମାନଙ୍କର ପରିଚୟ ଯଥା ସେମାନଙ୍କର ନାମ, ବିଦ୍ୟାଳୟର ନାମ, ଜନ୍ମ ତାରିଖ, ପରିବାର ବିଷୟରେ କୌଣସି ପ୍ରକାର ସୂଚନା ଯେପରି ଦେବେ ନାହିଁ । ଅନଲାଇନ୍ ପ୍ଲାଟଫର୍ମରେ ସେମାନଙ୍କର ଆକାଉଣ୍ଟ୍ ଖୋଲିବା ବେଳେ ସେମାନଙ୍କ ପରିଚୟ ଲୁଚାଇ ରଖିବେ । ଏପରି ନାମ ରଖିବେ ଯେପରିକି କୌଣସି ପରିବାର ଲୋକଙ୍କ ନାମ ତାହା ହୋଇନଥିବ ।

୪. ଧମକ ଦେବା ମାମଲାରେ ପ୍ରତିକ୍ରିୟାଶୀଳ ନହେବାକୁ ଉତ୍ସାହିତ କରନ୍ତୁ ଏବଂ ହଇରାଣକାରୀ ବାର୍ତ୍ତାଗୁଡ଼ିକର ରେକର୍ଡ ରଖନ୍ତୁ ଏବଂ ଖେଳ ସାଇଟ୍ ଆଡମିନିଷ୍ଟ୍ରେଟରଙ୍କୁ ଆଚରଣ ରିପୋର୍ଟ କରନ୍ତୁ ।

୫. ପିଲାମାନଙ୍କୁ ଆପ୍ କ୍ରୟରୁ ରକ୍ଷା କରିବା ପାଇଁ ଅଭିଭାବକମାନେ ଆରବିଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ ଓଟିପି ଆଧାରିତ ଦେୟ ପଦ୍ଧତି ଗ୍ରହଣ କରିପାରନ୍ତି ।

୬. କୌଣସି ଅଜଣା ୱେବସାଇଟ୍ ରୁ ଆପ୍ ଡାଉନଲୋଡ୍ ନ କରିବା ପାଇଁ କୁହନ୍ତୁ । କୌଣସି ୱେବସାଇଟ୍ ର ଲିଙ୍କ୍ କିମ୍ବା ଫଟୋ ଓ ପପ୍ ଅପ୍ ରେ କ୍ଲିକ୍ ନ କରିବାକୁ ସଚେତନ କରନ୍ତୁ । କାରଣ ସେଥିରେ ଭାଇରସ୍ ରହିଥାଏ ଯାହା ଉଭୟ ଫୋନ୍ ଓ କମ୍ପ୍ୟୁଟର୍ କୁ କ୍ଷତି ପହଞ୍ଚାଇଥାଏ ।

Get real time updates directly on you device, subscribe now.