fbpx

ସ୍ୱାଧୀନତାର ୭୮ ବର୍ଷ ବିତିଛି, ଆଜି ବି ଗାଁରେ ନାହିଁ ସ୍କୁଲ, ନାହାନ୍ତି ଜଣେ ବି ସରକାରୀ ଚାକିରିଆ

ପାଟନା: ବିହାରର ପଶ୍ଚିମ ଚମ୍ପାରନର ଏମିତି ଏକ ଗାଁ ରହିଛି, ଯେଉଁଠି, ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଶିକ୍ଷାର ଚିହ୍ନବର୍ଣ୍ଣ ନାହିଁ । ତେଣୁ ଏମାନଙ୍କ ପାଇଁ ସରକାରୀ ଚାକିରି ଆକାଶ କଇଁଆ ସଦୃଶ । ଗାଁର ସବୁ ଲୋକ ମୂଳ ମଜୁରୀ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । ଗାଁରେ ଦୁଇ ଜଣ ବହୁ କଷ୍ଟରେ +୨ ଯାଏ ଯାଇଛନ୍ତି । ପୂରା ଅଞ୍ଚଳ ଆଖୁ ଚାଷ ପାଇଁ ପ୍ରସିଦ୍ଧ ହୋଇଥିବା ବେଳେ କୌଣସି ବି ଜଣଙ୍କର ନିଜର ଜମି ଖଣ୍ଡିଏ ନାହିଁ ।

ଗାଁ ଲୋକଙ୍କ ପାଖରେ ଖାଲି ରହିଛି ଘର ଖଣ୍ଡିଏ ଲେଖା, ହେଲେ ତାହା ଖାଲି ରାତିରେ ମୁଣ୍ଡ ଗୁଞ୍ଜିବାକୁ । ସେମାନଙ୍କ ଅବସ୍ଥା ଏମିତି କି, ଉଭୟ ସ୍ୱାମୀ, ସ୍ତ୍ରୀ ମଜୁରୀ ନ ନାଗିଲେ ପରିବାର ଚଳାଇବା କଷ୍ଟକର । ପଶ୍ଚିମ ଚମ୍ପାରନର ମଧ୍ୟରେ ଆସୁଥିବା ଏହି ଗାଁର ନାଁ ହରକା । ଗାଁରେ ପ୍ରାୟ ୮୦୦ ଲୋକଙ୍କ ବସବାସ ରହିଛି । ଗାଁର ବରିଷ୍ଠ ସଦସ୍ୟ ମଧ୍ୟ ପେଟ ଚାଖଣ୍ଡକ ପାଇଁ କାମକରିବାକୁ ବାଧ୍ୟ ।

ଗାଁରେ ନାହିଁ ସରକାରୀ ବିଦ୍ୟାଳୟ । ଗାଁଠାରୁ ୩ କିମି ଦୂରରେ ଏକ ବିଦ୍ୟାଳୟ ଥିବାରୁ ଗାଁର ପିଲାଙ୍କ ପାଖରେ ପହଞ୍ଚି ପାରୁନି ଶିକ୍ଷା । କିଛି ପିଲା ସେହି ସ୍କୁଲକୁ ଯାଉଥିଲେ ମଧ୍ୟ ଦଶମ ଯାଏ ମଧ୍ୟ ଯାଇ ପାରନ୍ତି ନାହିଁ । ଏତେ ଦୂର ଚାଲି ଯିବା ଅପେକ୍ଷା କିଛି କାମରେ ବାପା ମାଆଙ୍କୁ ସାହାଯ୍ୟ କରିବାକୁ ଶ୍ରେୟ ମଣନ୍ତି ଏମାନେ । ଗାଁରେ ଶିକ୍ଷିତ ଭାବେ ଦୁଇଜଣ ରହିଛନ୍ତି, ଯେଉଁମାନେ, ନିଜ ଉଦ୍ୟମରେ ଦ୍ୱାଦଶ ଯାଏ ପଢିଛନ୍ତି । ତା ପରର ପଢା ସେମାନଙ୍କ ପାଇଁ ଥିଲା ଅସମ୍ଭବ । ତେଣୁ ଆଜି ବି ଗାଁର କେହି ଜଣେ ବି ସରାକରୀ ଚାକିରି ଖଣ୍ଡିଏ କରିପାରି ନାହାନ୍ତି ।

Get real time updates directly on you device, subscribe now.