fbpx

ଦୀର୍ଘଦିନ ପରେ ଛିଡ଼ିଲା ବିବାଦ; ପୁଣି ପ୍ରକାଶ ପାଇବ ଛବିଳ ‘ମଧୁ ବର୍ଣ୍ଣବୋଧ’

AAKASH

ଓଡିଶା ଭାସ୍କର; ପୁଣି ଥରେ ପ୍ରକାଶ ପାଇବ ଛବିଳ ‘ମଧୁ ବର୍ଣ୍ଣବୋଧ’। ଏନେଇ ଅଦଲାତ ନିର୍ଦ୍ଦେଶ ଦେଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିସାରିଛି । ପୁଣିଥରେ ସଂସ୍କୃତି ବିଭାଗ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଏହାର ଦାଇତ୍ୱ ଦିଆଯାଇଛି । ମୂଳ ରଚନାକୁ ବାଦ ଦିଆନଯାଇ ଏହା ଛପା ଯିବ ବୋଲି ସୂଚନା ମିଳିଛି । ପ୍ରାଥମିକ ବିଦ୍ୟାଳୟ ସହ ବିଚ୍ଛିନ୍ନାଞ୍ଚଳରେ ଏହାକୁ ବଣ୍ଟନ କରାଯିବ । ବାହାରେ ରହୁଥିବା ଓଡ଼ିଆ ମାନେ ବି ଓଡ଼ିଆ ପଢିବେ ବୋଲି ପଦକ୍ଷେପ ଗ୍ରହଣ କରାଯାଉଛି । ପ୍ରଥମରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ପୁସ୍ତକ ପ୍ରସ୍ତତି କରାଯିବା ଓଡ଼ିଆ ଭାଷା ପ୍ରତିଷ୍ଠାନ ସହିତ ଓକେସିଏଲ ମିଳିତ ସହଯୋଗରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯିବ ।

ସୂଚନା ଯୋଗ୍ୟ, ଛବିଳ ମଧୁ ବର୍ଣ୍ଣବୋଧ ଓଡ଼ିଶାର ଏକ ଅତି ଜଣାଶୁଣା ଶିଶୁ ପୁସ୍ତକ ଅଟେ । ଏହା ଭକ୍ତକବି ମଧୁସୂଦନ ରାଓଙ୍କଦ୍ୱାରା ୧୮୯୫ ମସିହାରେ ଲେଖାଯାଇଥିଲା । ଓଡ଼ିଆ ଭାଷା ଶିଖିବା ପାଇଁ (ବିଶେଷ କରି ପିଲାମାନଙ୍କପାଇଁ) ଏକ ସମ୍ପୂର୍ଣ୍ଣ ପୁସ୍ତକ ଅଟେ । ଏଥିରେ ଓଡ଼ିଆ ବର୍ଣ୍ଣମାଳା ସହ ମାତ୍ରା ଓ ଯୁକ୍ତାକ୍ଷର ରହିଛି, ଯାହାକି ପିଲାଙ୍କ ମନେରହିବା ପରି ଲେଖାମାନଙ୍କରେ ଦର୍ଶାଯାଇଛି । ଏହି ବହିଟିରେ ଇଂରାଜୀ ଏବଂ ହିନ୍ଦୀ ବର୍ଣ୍ଣମାଳା ମଧ୍ୟ ଅଛି । ଏଥିସହିତ ବହି ଶେଷରେ ପ୍ରାର୍ଥନା ଓ ପଣକିଆ ବହିଟିକୁ ଏକ ସଂପୂର୍ଣ୍ଣ ପ୍ରାଥମିକ ପୁସ୍ତକ କରିଛି ।

ଛବିଳ ମଧୁ ବର୍ଣ୍ଣବୋଧର ପ୍ରଥମ ସଂସ୍କରଣ ଲଣ୍ଡନଠାରେ ପ୍ରକାଶ କରାଯାଇଥିଲା । ୧୯୬୦ ବେଳକୁ ଏହି ବହି ବଜାରରେ ଆଉ ମିଳୁ ନଥିଲା । ଏହାର ବିକଳ୍ପ ଭାବରେ ଛବିଳ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧ ଓ ସହଜ ମଧୁ ବର୍ଣ୍ଣବୋଧ ନାମରେ ଅନେକ ବହି ବିକ୍ରୀ ହେଉଥିଲା । ୨୦୧୩ ମସିହାରେ ଏହି ପୁସ୍ତକକୁ ବ୍ରେଲୀ ଅକ୍ଷରରେ ପ୍ରକାଶ କରାଯିବାକୁ ଯୋଜନା କରାଯାଇଥିଲା । ସେହିପରି ୨୦୧୪ ମସିହାରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ବହିଟିକୁ ପୁନଃପ୍ରକାଶନ କରି ଅନେକ ତୃଟି ବିଚ୍ୟୁତି ଯୋଗୁ ବିବାଦଘେରକୁ ଆସିଥିଲା । ଭକ୍ତକବି ମଧୁସୂଦନ ରାଓଙ୍କ ଏହି ଅନନ୍ୟ ସୃଷ୍ଟିର ମୂଳ ପ୍ରକାଶନକୁ ବାଦ୍‌ ଦେଇ ନୂଆ କରି ଛାପା ଯାଇଥିବାରୁ କିଛି ବୁଦ୍ଧିଜୀବୀ ଏହା ଉପରେ ଆପତ୍ତି ଉଠାଇବା ସହ ମାମଲା ଅଦାଲତରେ ପହଞ୍ଚିଥିଲା ।

ପ୍ରଥମ ପର୍ଯ୍ୟାୟରେ କଟକର ସରକାରୀ ପ୍ରେସରେ ୫୦ ହଜାର ବହି ଛପାଯିବ । ଏହାର ରୂପରେଖ କିଭଳି ରହିବ ଏ ସମ୍ପର୍କରେ ଏକ କମିଟି ଗଠନ କରାଯିବ ଏବଂ କମିଟି ନିଷ୍ପତ୍ତି ଅନୁସାରେ ପୁସ୍ତକ ଛପାଯିବ । ପୂର୍ବରୁ ଯାହା ସବୁଥିଲା ତାହା ପୁସ୍ତକରେ ସଂକଳିତ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦଲାତ ଏବଂ ସେହି ଆଧାରରେ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.