fbpx

ଚିକିତ୍ସା ଅବସ୍ଥାରେ ପ୍ରାଣ ହରାଇଲା ବିଲେଇ, କ୍ରୋଧାନ୍ୱିତ ହୋଇ ଡାକ୍ତରଙ୍କୁ ଅଢ଼େଇ କୋଟି ମାଗିଲେ ମହିଳା

ଆମ ସମାଜରେ ଅନେକ ସମୟରେ ବିଭିନ୍ନ ପ୍ରକାର ଅଜବ ଘଟଣାସବୁ ଦେଖିବାକୁ ମିଳିଥାଏ । ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ପାକିସ୍ତାନରେ । ଗୋଟିଏ ପୋଷା ବିଲେଇର ମୃତ୍ୟୁକୁ ନେଇ ଜଣେ ମହିଳା ଡାକ୍ତରଙ୍କ ଉପରେ ୨.୫ କୋଟିର ମୋକଦ୍ଦମା ଦାୟର କରିଥିଲେ । ଡାକ୍ତର ଜଣକ ଅତି ଖାମଖିଆଲି ଭାବରେ ବିଲେଇର ଚିକିତ୍ସା କରିବା ଯୋଗୁଁ ଗୋଟିଏ ମାସ ମଧ୍ୟରେ ତାର ମୃତ୍ୟୁ ଘଟିଥିବା ମହିଳା ଜଣକ ଅଭିଯୋଗରେ ଦର୍ଶାଇଥିଲେ ।

ଏହି ଘଟଣାଟି ଗତ ୨୦୧୬ରେରେ ଘଟିଥିଲା । ସୁନ୍ଦସ ହୁରେନ ନାମକ ଜଣେ ଆଇନଜୀବୀ ତାଙ୍କର ପୋଷା ବିଲେଇକୁ ଚେକ୍ ଅପ୍ ପାଇଁ ଇସଲାମାବାଦର ଏକ କ୍ଲିନିକକୁ ଯାଇଥିଲେ । ଏହାପରେ ଡାକ୍ତର ବିଲେଇଟିକୁ ହସ୍ପିଟାଲରେ ଆଡମିଟ୍ କରିଥିଲେ । ହୁରେନ ପରଦିନ ହସ୍ପିଟାଲରୁ ବିଲେଇଟିକୁ ଆଣିବା ପରେ ସେ ରୋଗଶଯ୍ୟାରେ ପଡ଼ିରହିଥିଲା । ପରବର୍ତ୍ତୀ ସମୟରେ ବିଲେଇଟି ପ୍ରାଣ ହରାଇଥିଲା । ତେବେ ବିଲେଇର ଅଚାନକ ମୃତ୍ୟୁ ପାଇଁ ହୁରେନ ଡାକ୍ତରଙ୍କୁ ଦୋଷ ଦେଇଥିଲେ । ବିଲେଇଟିକୁ ନିଜ ସନ୍ତାନ ପରି ଭଲ ପାଇବା ସହ ଅତି ଯତ୍ନରେ ଲାଳନପାଳନ କରିଥିବାରୁ ହୁରେନଙ୍କୁ ଏହି ଘଟଣାଟି ବହୁତ ଦୁଃଖ ଦେଇଥିଲା । ତେବେ ବିଲେଇଟିକୁ ହସ୍ପିଟାଲରେ ଅତ୍ୟନ୍ତ ଥଣ୍ଡାରେ ରଖିବା ଯୋଗୁଁ ତା’ର ମୃତ୍ୟୁ ଘଟିଥିବା ପୋଷ୍ଟ ମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ଏହି ରିପୋର୍ଟ ମହିଳା ଜଣକ କୋର୍ଟଙ୍କ ନିକଟରେ ଦାଖଲ କରିଛନ୍ତି । ଗୃହପାଳିତ ପଶୁପକ୍ଷୀଙ୍କୁ କିପରି ଚିକିତ୍ସା କରାଯାଉଛି ତାହାକୁ ନିରୀକ୍ଷଣ କରିବା ପାଇଁ କ୍ଲିନିକଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଇବାକୁ ସେ ଦାବି କରିଛନ୍ତି । ଏଥିସହ ଅବହେଳା ଅଭିଯୋଗ କରି ମହିଳା ଜଣକ ସମ୍ପୃକ୍ତ ଡାକ୍ତର ଓ ଜଣେ କର୍ମଚାରୀଙ୍କ ଠାରୁ ୨.୫ କୋଟି ଟଙ୍କା କ୍ଷତିପୂରଣ ଭରଣା ସହ ଅଭିଯୁକ୍ତଙ୍କୁ ଜେଲ ପଠାଇବାକୁ ଦାବି କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.