fbpx

ଆଉ ଖସି ଯାଇପାରିବେନି ସରକାରୀ ଯୋଜନାର ଆଯୋଗ୍ୟ ହିତାଧିକାରୀ, ଏଆଇ ସହାୟତାରେ ଏମାନଙ୍କୁ ଖୋଜି ଖୋଜି ବାହାର କରିବେ ସରକାର

AAKASH

ନୂଆଦିଲ୍ଲୀ:ସରକାର ଗରିବ ଲୋକଙ୍କ ସହାୟତା ଲାଗି ବହୁ ଜନହିତକର ସରକାରୀ ଯୋଜନା ପରିଚାଳନା କରୁଛନ୍ତି । କିନ୍ତୁ ବହୁ ଅଯୋଗ୍ୟ ହିତାଧିକାରୀ ଭୁଲ୍ ବାଟରେ ବିଭିନ୍ନ ସରକାରୀ ଯୋଜନାର ଫାଇଦା ମଧ୍ୟ ଉଠାଉଛନ୍ତି । ଅନ୍ୟପକ୍ଷରେ ବହୁ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ୍ ବି ପଡି ଯାଉଛନ୍ତି । ଏଣିକି ଆଉ କିନ୍ତୁ ଏପରି ହେବ ନାହିଁ । ସରକାରୀ ଯୋଜନାର ଭୁଲ୍ ଫାଇଦା ଉଠାଉଥିବା ସବୁ ଲୋକମାନେ ଏଣିକି ଧରାପଡିଯିବେ । କାରଣ ଏଣିକି ଆଉ ସରକାରୀ କର୍ମଚାରୀ ନୁହଁନ୍ତି ଏଆଇ ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସହାୟତାରେ ଏହି ଆଯୋଗ୍ୟ ହିତାଧିକାରୀଙ୍କୁ ଖୋଜି ବାହାର କରାଯିବ ।

ଏଆଇର କାମ କେବଳ କପିରାଇଟିଂ କିମ୍ବା ଫଟୋ କ୍ରିଏଟ୍ କରିବା ପର୍ଯ୍ୟନ୍ତ ସୀମିତ ରହିବ ନାହିଁ । ଏଣିକି ଏଆଇ ସବୁ ନକଲି ଜିନିଷକୁ ଧରିବାରେ ବିଭିନ୍ନ ସଂସ୍ଥାକୁ ସହଯୋଗ କରିବ । କାଗ୍ ବା କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ୍ ଅଫ୍ ଇଣ୍ଡିଆ ବହୁ କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ମେସିନ୍ ଲର୍ଣ୍ଣିଂର ଉପଯୋଗ କରୁଛି । କାଗ୍ ଏବେ ଏପରି ସ୍କୁଲ ଗୁଡିକର ଯାଞ୍ଚ କରିବାରେ ଲାଗିଛି ଯାହା ବାସ୍ତବରେ ନାହିଁ କିନ୍ତୁ ନକଲି ପ୍ରମାଣପତ୍ର ଦେଇ ସ୍କଲାରସିପ୍ ଦାବୀ କରୁଛନ୍ତି । ଏଆଇ ଏବେ ଏପରି ମାମଲାଗୁଡିକର ଯାଞ୍ଚ କରୁଛି । ବହୁ ମାମଲାରେ ଦେଖାଯାଉଛି ସରକାରୀ ଯୋଜନାର ଫାଇଦା ପାଇବା ଲାଗି ଲୋକମାନେ ଗୋଟିଏ ପ୍ରକାରର ଫଟୋ ବାରମ୍ବାର ବ୍ୟବହାର କରୁଛନ୍ତି । ନିକଟରେ କାଗ୍ ଏକ ସମ୍ମିଳନୀରେ ଏ ବିଷୟରେ ସୂଚନା ଦେଇଥିଲା । ଏହା ସହିତ ଏହି ସମ୍ମିଳନୀରେ ଏଆଇ କିପରି ନକଲି, ଅଯୋଗ୍ୟ ହିତାଧିକାରୀଙ୍କୁ ଧରି ପାରିବ ତାହାର ଡମି ମଧ୍ୟ ଦେଖାଯାଇଥିଲା ।

କାଗ୍ ଏକ ସ୍ୱତନ୍ତ୍ର ଏଆଇ ମଡେଲ୍ ବିକଶିତ କରିଛି ଯାହା ସାହାଯ୍ୟରେ ହିତାଧିକାରୀଙ୍କ ଫଟୋକୁ ଆନାଲାଇଜ୍ କରାଯାଇପାରିବ । ଏବେ ଏହି ସ୍ୱତନ୍ତ୍ର ଏଆଇ ମଡେଲ୍ ସାହାଯ୍ୟରେ ଗୋଟିଏ ପ୍ରକାର ଫଟୋ ବ୍ୟବହାର କରି ବିଭିନ୍ନ ସରକାରୀ ଯୋଜନାର ଫାଇଦା ଉଠାଉଥିବା ଲୋକଙ୍କୁ ଧରାଯାଇପାରିବ । ଏଆଇର ଏହି ମଡେଲ୍ ୯୨ ପ୍ରତିଶତ ସଫଳତା ହାସଲ କରିପାରିଛି । ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର ଏବେ ପିଏମ୍ କିଷାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପରଫର୍ମାନ୍ସ ଅଡିଟ୍ କ୍ଷେତ୍ରରେ କରାଯାଉଛି । ଏହାଦ୍ୱାରା ସରକାରୀ ଯୋଜନାର ଭୁଲ୍ ଫାଇଦା ଉଠାଉଥିବା ସମସ୍ତ ଅଯୋଗ୍ୟ ହିତାଧିକାରୀ ଧରା ପଡିଯିବେ ।

 

Get real time updates directly on you device, subscribe now.