ଭୁବନେଶ୍ୱର: ଜେଏନୟୁର ଛାତ୍ରଛାତ୍ରୀ ଓ ପ୍ରଫେସରଙ୍କ ଉପରେ ଏବିଭିପି ଆକ୍ରମଣ ବର୍ବରତାର ସୀମା ଲଙ୍ଘନ କରିଛି । ରାମ ନବମୀ ଅବସରରେ ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟର ହଷ୍ଠେଲରେ ଆମିଷ ଖାଇବାକୁ ବିରୋଧ କରି ଏବିଭିପି ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରାଗଲା । ବିଶ୍ୱବିଦ୍ୟାଳୟରେ ବିଭିନ୍ନ ସଂପ୍ରଦାୟର ପିଲା ପାଠ ପଢନ୍ତି ଏବଂ ସେମାନଙ୍କ ଖାଦ୍ୟ ବାଛିବାର ଅଧିକାର କେବଳ ସେମାନଙ୍କର । କିଏ କଣ ଖାଇବ, ପିନ୍ଧିବ, କହିବ ଏବଂ ପଢିବ ଏହା ତାର ନିଜସ୍ୱ ନିଷ୍ପତି । କାରଣ ଭାରତର ସମ୍ବିଧାନ ସମସ୍ତ ନାଗରିକଙ୍କୁ ଏ ଅଧିକାର ପ୍ରଦାନ କରିଛି । ମାତ୍ର ଆରଏସଏସଏସର ସାଂପ୍ରଦାୟିକତା ଏଜେଣ୍ଡା ଅନୁଯାୟୀ ଶିକ୍ଷାର ସାଂପ୍ରଦାୟୀକରଣ ଓ ସମଗ୍ର ଦେଶରେ ଧର୍ମୀୟ ଉନ୍ମାଦନା ସୃଷ୍ଠି କରାଯାଉଛି ।
ବିଶ୍ୱ ଦରବାରରେ ବିଭିନ୍ନତା ଭିତରେ ଏକତା ପାଇଁ ଆମ ଦେଶ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଧର୍ମନିରପେକ୍ଷତା ଆମ ସମ୍ବିଧାନର ମୁଖବନ୍ଧରେ ଥିବା ବେଳେ ଏହା ଏବିଭିପି-ଆରଏସଏସଏସ ଆଦର୍ଶର ବିରୋଧୀ । କେତେବେଳେ ହିଜାବକୁ ନେଇ, ମାଂସ ଖାଇବାକୁ ନେଇ, ହିନ୍ଦୀ ଭାଷାକୁ ନେଇ ଶିକ୍ଷାନୁଷ୍ଠାନରେ ହିଂସା ଓ ଘୃଣାର ବାତାବରଣ ତିଆରି କରି ନିଜର ଇଚ୍ଛାକୁ ଲଦିବାର ହୀନ ପ୍ରୟାସ କରାଯାଉଛି । ସରକାର ପ୍ରତିବର୍ଷ ଜେଏନୟୁକୁ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇ ଆସୁଛନ୍ତି । ମାତ୍ର ଆରଏସଏସଏସର ରାଜନୈତିକ ସଙ୍ଗଠନ ବିଜେପି କ୍ଷମତାସୀନ ହେବା ପରଠାରୁ ଏହି ବିଶ୍ୱବିଦ୍ୟାଳୟକୁ ବନ୍ଦ କରିବା ପାଇଁ ବିଭିନ୍ନ ପ୍ରୟାସ କରାଯାଉଛି । ରାମ ନବମୀକୁ ସୁଯୋଗ ଭାବରେ ନେଇ ଲୋକଙ୍କର ଧର୍ମୀୟ ଭାବନାକୁ ଆଘାତ ହେଲା ଭଳି ଘଟଣା ତିଆରି କରାଯାଇଛି । ଯାହା ବିଜେପି-ଆରଏସଏସଏସ-ଏବିଭିପିର ପୁରୁଣା ଓ ହୀନ କୌଶଳ । ଜେଏନ୍ୟୁ ଭଳି ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ମଧ୍ୟ ନିରାମିଷ ଖାଦ୍ୟ ଦିଆଯାଇଛି, ଯେତେବେଳେ କି ପ୍ରତି ରବିବାର ସେଠାରେ ବିରିୟାନୀ ଦିଆଯାଏ ।
ଏହି ଜୋର୍ ଜବରଦସ୍ତି ନିଜ ଇଚ୍ଛାକୁ ଅନ୍ୟ ଉପରେ ଲଦିଦେବାର ଚେଷ୍ଟା ହେଉଛି ସମ୍ବିଧାନର ଅପମାନ । ବେରୋଜଗାରୀ ଓ ଦରବୃଦ୍ଧି ପ୍ରସଙ୍ଗରୁ ଦୃଷ୍ଟି ହଟାଇ ପୁଣିଥରେ ହିନ୍ଦ-ମୁସଲିମ୍ ବିତର୍କରେ ସାଧାରଣ ଲୋକଟିକୁ ଛନ୍ଦି ଦିଆଯାଉଛି । ଏହା ସାଂପ୍ରଦାୟିକତା ଭିତିରେ ଛାତ୍ର ସମାଜକୁ ବିଭାଜନର ଏକ ସୁପରିକଳ୍ପିତ ଷଡଯନ୍ତ୍ରର ରୂପାୟନ । ଏ.ଆଇ.ଏସ୍.ଏଫ୍ ଓଡିଶା ରାଜ୍ୟ ପରିଷଦ ଏହାକୁ ଦୃଢ ନିନ୍ଦା କରିବା ସହ ଧର୍ମ ନିରପେକ୍ଷତା ତଥା ସମ୍ବିଧାନର ସୁରକ୍ଷା ଓ ଫୁଡ୍ ଫାସିଜିମ୍ ବିରୁଦ୍ଧରେ ଛାତ୍ର ସମାଜ ରାଜ୍ୟବ୍ୟାପୀ ପ୍ରତିବାଦ କରିବା ପାଇଁ ଏ.ଆଇ.ଏସ୍.ଏଫ ପକ୍ଷରୁ ଆହ୍ୱାନ ଦିଆଯାଇଛି ।