fbpx

ଛାତ୍ର ସଂସଦ ନିର୍ବାଚନ ଓ ନିଟ୍ ଉଚ୍ଛେଦ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ଦେଲା AISF

Advertisement

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରାଯିବା ଓ ଛାତ୍ର ବିରୋଧି ନିଟ୍ ପରୀକ୍ଷା ଉଚ୍ଛେଦ ପାଇଁ ଓଡ଼ିଶା ବିଧାନସଭାରେ ପ୍ରସ୍ତାବ ଗ୍ରହଣ କରିବା ଦାବିରେ ଏଆଇଏସ୍ଏଫ୍ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। ଗତ ୨୦୧୮ ମସିହାଠାରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବାରୁ ଛାତ୍ରଛାତ୍ରୀ ନିଜ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ ହେଉଛନ୍ତି। ନେତୃତ୍ୱର ସଂକଟ ବୃଦ୍ଧି ପାଇବା ସହ କ୍ୟାମ୍ପସରେ ରାଗିଗ୍ଂ ଓ ଅନ୍ୟାନ୍ୟ ସମସ୍ୟା ମଧ୍ୟ ବୃଦ୍ଧି ପାଇଛି।

ତେଣୁ ଅବିଳମ୍ବେ +୨ ମହାବିଦ୍ୟାଳୟ ସମେତ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଶାନ୍ତି ଶୃଙ୍ଖଳା ସହ ଛାତ୍ର ସଂସଦ ନିର୍ବାଚନ କରାଯିବା ଦାବିରେ ସଂଘ ପକ୍ଷରୁ ମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି। ଏହା ସହିତ ନିଟ୍ ଭଳି କେନ୍ଦ୍ରୀୟ ପରୀକ୍ଷା ବ୍ୟବସ୍ଥା ଦ୍ବାରା ଗ୍ରାମାଞ୍ଚଳ ଓ ଗରିବ ଶ୍ରେଣୀର ପିଲା ଡାକ୍ତରୀ ଶିକ୍ଷାରୁ ବଞ୍ଚିତ ହେଉଥିବାରୁ ନିଟ୍ ପରୀକ୍ଷା ଉଚ୍ଛେଦ ପାଇଁ ଓଡ଼ିଶା ବିଧାନସଭାରେ ପ୍ରସ୍ତାବ ପାରିତ ହେବା ଆବଶ୍ୟକ। ଯାହାଦ୍ବାରା ଓଡ଼ିଶାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି।

ଏହି ଦୁଇ ଦାବି ସଂପର୍କରେ ଆଲୋଚନା ଅବସରରେ ମାନ୍ୟବର ମନ୍ତ୍ରୀ ଛାତ୍ର ସଂସଦ ନିର୍ବାଚନ ପାଇଁ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରି ସମସ୍ତଙ୍କ ମତ ଆଧାରରେ ସୁବ୍ୟବସ୍ଥିତ ଢଙ୍ଗରେ ନିର୍ବାଚନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ନିଟ୍ ଉଚ୍ଛେଦ ଦାବି ଉପରେ ନିରବ ରହିଥିଲେ। ଏହି ଦାବି ପତ୍ର ପ୍ରଦାନ ପାଇଁ ସଂଘର ରାଜ୍ୟ ସଭାପତି ସଙ୍ଘମିତ୍ରା ଜେନାଙ୍କ ନେତୃତ୍ବରେ ଏକ ୫ଜଣିଆ ପ୍ରତିନିଧି ମଣ୍ଡଳୀ ମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ଏଥିରେ ସଂଘର ଉପସଭାପତି ମନୋରଞ୍ଜନ ରାଉତ, ଯୁଗ୍ମ ସମ୍ପାଦକ ଦେଶପ୍ରିୟ ପଣ୍ଡା, କାର୍ଯ୍ୟକାରିଣୀ ସଦସ୍ୟ ଅମରେଶ ପରିଡ଼ା ଓ ସୋମ୍ୟରଞ୍ଜନ ଭୋଳ ପ୍ରମୁଖ ଉପସ୍ଥିତ ଥିଲେ।

Get real time updates directly on you device, subscribe now.