fbpx

‘ମୋ ବ୍ୟାଗ୍‌ରେ ବମ୍ ଅଛି’ , ହଠାତ୍ ଏପରି କହି ଚିଲାଇଲେ ବିମାନର ଜଣେ ଯାତ୍ରୀ, ତା’ପରେ ଯାହା ହେଲା…

AAKASH

ନୂଆଦିଲ୍ଲୀ: ଆକାଶ ଏୟାରଲାଇନ୍ସର ଏକ ବିମାନରେ ବସିଥିବା ଜଣେ ଯାତ୍ରୀ ଶନିବାର ଉଡାଣ ମଧ୍ୟରେ ନିଜ ପାଖରେ ବମ୍ ଅଛି ବୋଲି କହି ବଡ ପାଟିରେ ଚିଲାଇଥିଲା । ଏହାପରେ ସମସ୍ତ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଯାଇଥିଲା । ଏହି ଘଟଣା ପରେ ପୁଣେରୁ ଦିଲ୍ଲୀ ଆସୁଥିବା ଏହି ବିମାନକୁ ଦିଲ୍ଲୀ ପରିବର୍ତ୍ତେ ମୁମ୍ବାଇ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା । ଯାଞ୍ଚ ପରେ ଏହି ଯୁବକଙ୍କ ଦାବୀ ମିଛ ବୋଲି ଜଣାପଡିଥିଲା । ତେବେ ମାମଲାକୁ ଗମ୍ଭୀରତାର ସହ ନେଇ ପୋଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି । ଏହି ପ୍ଲେନ୍‌ରେ ୧୮୫ ଜଣ ଯାତ୍ରୀ ଓ ୬ ଜଣ ଚାଳକ ସଦସ୍ୟ ଥିଲେ ।

ଆକାଶ ଏୟାରଲାଇନ୍ ପକ୍ଷରୁ ଜାରୀ ବୟାନ ଅନୁସାରେ ୨୧ ଅକ୍ଟୋବର ୨୦୨୩ ସମୟ ପ୍ରାୟ ୧୨ଘ.୭ମି. ସମୟରେ ଦିଲ୍ଲୀକୁ ଯାତ୍ରା କରୁଥିବା ଆକାଶ ଏୟାରଲାଇନ୍ସର QP 1148 ରେ ୧୮୫ ଯାତ୍ରୀ ଓ ୬ ଜଣ ଚାଳକ ଦଳ ଯାତ୍ରା କରୁଥିଲେ । ବିମାନଟି ଉଡାଣ ଭରିବାର ମାତ୍ର ଅଳ୍ପ କିଛି ସମୟ ପରେ ସୁରକ୍ଷା ସମ୍ବନ୍ଧିତ ଚେତାବନୀ ମିଳିଥିଲା । ଫଳରେ ବିମାନ ଦିଲ୍ଲୀ ପରିବର୍ତ୍ତେ ମୁମ୍ବାଇ ଆଡକୁ ଗତି କରିଥିଲା । କ୍ୟାପଟେନ୍ ସମସ୍ତ ଜରୁରୀକାଳୀନ ପ୍ରକ୍ରିୟାକୁ ପାଳନ କରିଥିଲେ ଓ ୧୨ଘ.୪୨ମି.ରେ ବିମାନ ଛତ୍ରପତି ଶିବାଜୀ ମହାରାଜ ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରାଯାଇଥିଲା । ଏହାପରେ ମୁମ୍ବାଇ ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଥିଲେ । ସମସ୍ତ ଯାତ୍ରୀଙ୍କ ସାମଗ୍ରୀ ଯାଞ୍ଚ କରାଯାଇଥିଲା । ବମ୍ ନିରୋଧକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସାରିଥିଲେ । କିନ୍ତୁ ଯାଞ୍ଚ ସମୟରେ ପୋଲିସ ହାତରେ କିଛି ବି ଲାଗି ନ ଥିଲା ।

ତେବେ ସଂପୃକ୍ତ ଯୁବକଙ୍କ ସହ ଥିବା ଜଣେ ସଂପର୍କୀୟଙ୍କୁ ପୋଲିସ ଏ ବିଷୟରେ ପଚାରିବା ପରେ ସେ କହିଥିଲେ, ଯୁବକ ଜଣକ ତାଙ୍କର ଛାତି ଯନ୍ତ୍ରଣା ଲାଗି ମେଡିସିନ୍ ଖାଇଥିଲେ । ଏହାର ପ୍ରଭାବରେ ସେ ବାଉଳା ହୋଇ କ’ଣ ଆଡୁସାଡୁ ଗପୁଥିଲେ । ପୁରା ଯାଞ୍ଚ ପରେ ବିମାନ ସକାଳ ୬ଟାରେ ମୁମ୍ବାଇ ବିମାନ ବନ୍ଦରରୁ ଦିଲ୍ଲୀ ଉଡାଣ କରିଥିଲା ।

Get real time updates directly on you device, subscribe now.