fbpx

ଜଳୁଛି ଓଡ଼ିଶା! ଆହୁରି ୫ଦିନ କରିବ କଲବଲ, କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି

ଭୁବନେଶ୍ୱର: ସାରା ରାଜ୍ୟରେ ଲାଗି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ଜନଜୀବନ ଅସ୍ତବ୍ୟସ୍ତ । ପ୍ରଚଣ୍ଡ ତାତି ସହ ଅସହ୍ୟ ଗୁଳୁଗୁଳି । ଦେହରୁ ବହିଯାଉଛି ଗମଗମ୍ ହୋଇ ଝାଳ । ରାତି ପାହିବାମାତ୍ରେ ଆରମ୍ଭ ହୋଇଯାଉଛି ସୂର୍ଯ୍ୟଙ୍କ କୋପ । ଘରେ ଓ ବାହାରେ ସବୁଠୁ ତାତିର ପ୍ରଭାବ । ଏଭଳି ତାତି ଆହୁରି ୫ ଦିନ ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏହି ସମୟରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଅନ୍ୟପକ୍ଷରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ସାଂଘାତିକ ପ୍ରଭାବ ଅନୁଭୂତ ହେବ ବୋଲି ବିଭାଗ ସୂଚନା ଦେଇଛି । ବହୁ ସହରରେ ତାପମାତ୍ରା ୪୨ରୁ ୪୪ ଡିଗ୍ରୀ ଛୁଇଁବ ବୋଲି ମଧ୍ୟ କୁହାଯାଇଛି । ବୁଧବାର ରାଜ୍ୟର ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୪.୧ ଡିଗ୍ରୀ ସହ ସୋନପୁର ଓ ଅନୁଗୋଳ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ବିବେଚିତ ହୋଇଛି ।

ସେହିପରି ବୌଦ୍ଧରେ ସବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ଥିବାବେଳେ ଟିଟିଲାଗଡ଼ରେ ୪୩.୫, ସମ୍ବଲପୁରରେ ୪୩.୪, ଝାରସୁଗୁଡ଼ାରେ ୪୩.୪, ଭବାନୀପାଟଣାରେ ୪୩, ହୀରାକୁଦରେ ୪୨.୯, ମାଲକାନଗିରିରେ ୪୨.୬, ବଲାଙ୍ଗୀରରେ ୪୨.୫, ତାଳଚେରରେ ୪୨.୪, ରାଉରକେଲାରେ ୪୨.୨ ଓ ନୂଆପଡ଼ା, ସୁନ୍ଦରଗଡ଼ ଏବଂ ବରଗଡ଼ରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି ବାରିପଦାରେ ୪୧.୨, ଭଦ୍ରକ ଓ ଫୁଲବାଣୀରେ ୪୧, ଦେବଗଡ଼ରେ ୪୦.୫, କେନ୍ଦୁଝରରେ ୪୦.୪, କେନ୍ଦ୍ରାପଡ଼ା ଏବଂ ଚାନ୍ଦବାଲିରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.