fbpx

ରାଜୀବ ଗାନ୍ଧି ହତ୍ୟା ମାମଲା: ଜେଲରୁ ମୁକ୍ତ ହେବେ ନଳିନୀ ସମେତ ସମସ୍ତ ୬ ଦୋଷୀ, ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଏକ ନୂଆ ଅପଡେଟ୍ ଆସିଛି । ଏହି ମାମଲାରେ ଦଣ୍ଡ ଭୋଗୁଥିବା ସମସ୍ତ ଦୋଷୀଙ୍କୁ ଜେଲରୁ ମୁକ୍ତ କରାଯିବ । ନଳିନୀ ଶ୍ରୀହରନଙ୍କ ସମେତ ଅନ୍ୟ ୬ ଜଣଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ଯଦି ଏହି ଦୋଷୀଙ୍କ ନାମରେ ଅନ୍ୟ କୌଣସି ମାମଲା ନାହିଁ, ତେବେ ସେମାନଙ୍କୁ ମୁକ୍ତ କରିବାକୁ କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ।

ଦୀର୍ଘ ସମୟ ଧରି ରାଜ୍ୟପାଳ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ସର୍ବୋଚ୍ଚ ଅଦାଲତ ଏହି ପଦକ୍ଷେପ ନେଇଛନ୍ତି । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପେରାରିଭଲାନଙ୍କ ମୁକ୍ତି ନେଇ ଗତ ମେ ମାସରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶ ଅନ୍ୟ ଦୋଷୀଙ୍କ କ୍ଷେତ୍ରରେ ଲାଗୁ କରିବାକୁ କୋର୍ଟ କହିଛନ୍ତି ।

ରାଜୀବଙ୍କ ହତ୍ୟା ମାମଲାରେ ସଜ୍ଜା କାଟୁଥିବା ନଳିନୀ, ରବିଚନ୍ଦ୍ରନ, ମୁରୁଗନ, ସନ୍ଥନ, ଜୟକୁମାର ଓ ରବର୍ଟ ପେଇସ ଜେଲରୁ ମୁକ୍ତ ହେବେ । ପେରାରିଭଲାନ ପୂର୍ବରୁ ଏହି ମାମଲାରେ ଜେଲରୁ ମୁକ୍ତି ପାଇସାରିଛନ୍ତି । ଗତ ମେ ମାସ ୧୮ ତାରିଖରେ ସୁବ୍ୟବହାର କାରଣରୁ ପେରାରିଭଲାନଙ୍କୁ ଜେଲରୁ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜଷ୍ଟିସ ଏଲ.ନାଗେଶ୍ୱରଙ୍କ ବେଞ୍ଚ ଆର୍ଟିକଲ ୧୪୨ର ପ୍ରୟୋଗ କରି ଏହି ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ ଯେ, ୩୧ ବର୍ଷ ପୂର୍ବେ ଗତ ୧୯୯୧ ମସିହା ମେ ମାସ ୨୧ ତାରିଖରେ ତାମିଲନାଡ଼ୁରେ ଏକ ଆତ୍ମଘାତୀ ହମଲାରେ ରାଜୀବଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ୭ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

Get real time updates directly on you device, subscribe now.