fbpx

ଉତ୍ତରାଖଣ୍ଡ ଦୁର୍ଘଟଣା ପରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ଦେଶରେ ଥିବା ସମସ୍ତ ନିର୍ମାଣାଧୀନ ସୁଡ଼ଙ୍ଗର ସୁରକ୍ଷା ଅଡିଟ୍ କରାଯିବ

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତରାଖଣ୍ଡର ଉତ୍ତରକାଶୀର ସିଲକ୍ୟାରା ସୁଡ଼ଙ୍ଗରେ ଦୀର୍ଘ ୧୨ ଦିନ ଧରି ଫଶି ରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହା ମଧ୍ୟରେ ଅନେକ ଥର ଡ୍ରିଲିଙ୍ଗ ମେଶିନ ଖରାପ ହୋଇ ବହୁ ସମସ୍ୟା ସୃଷ୍ଟି ହୋଇଥିଲା । ସୁଡ଼ଙ୍ଗ ମଧ୍ୟରେ ଓଡ଼ିଶାର ୫ ଜଣ ଶ୍ରମିକ ରହିଥିବା ଜଣାପଡ଼ିଛି । ତେବେ ଏହି ଦୁର୍ଘଟଣା ପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିବାକୁ ଯାଉଛନ୍ତି ।

ସୂଚନା ମୁତାବକ, ଦେଶରେ ଥିବା ସମସ୍ତ ନିର୍ମାଣାଧୀନ ସୁଡ଼ଙ୍ଗର ସୁରକ୍ଷା ଅଡିଟ୍ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି । ଏହିସବୁ ସୁଡ଼ଙ୍ଗର ତାଲିକା ପ୍ରସ୍ତୁତ କରାଯାଉଥିବା ବେଳେ ଖୁବଶୀଘ୍ର ଏହାର ଅଡିଟ୍ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଏହାର ଅଡିଟ୍ କରିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି ।

ଏନଏଚଆଇ ଅଧିକାରୀ ଓ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (ଡିଏମଅରସି)ର ବିଶେଷଜ୍ଞ ଟିମ୍ ଏହି ଅଡିଟ୍ କାର୍ଯ୍ୟରେ ନିୟୋଜିତ ହେବେ । ନିର୍ମାଣ ସମୟରେ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ତଥା ଉଚ୍ଚତମ ଗୁଣବତ୍ତା ମାନକୁ ଅଧିକାରୀମାନେ ଯାଞ୍ଚ କରିବେ । ଏକ ସପ୍ତାହ ମଧ୍ୟରେ ଏନେଇ କେନ୍ଦ୍ର ସକକାରଙ୍କୁ ରିପୋର୍ଟ ଦିଆଯିବ ଓ ତା’ପରେ ପଦକ୍ଷେପ ଗ୍ରହଣ କରାଯିବ । ତେବେ ଦେଶରେ ଏବେ ୨୯ଟି ନିର୍ମାଣାଧୀନ ସୁଡ଼ଙ୍ଗ ରହିଥିବା ବେଳେ ଓଡ଼ିଶାରେ ଦୁଇଟି ଟନେଲ ରହିଛି । ଓଡ଼ିଶାର କୋରାପୁଟ ଜିଲ୍ଲାର ସୁନକି ଘାଟିରେ ଏନଏଚଆଇ ପକ୍ଷରୁ ନିର୍ମାଣ ହେଉଥିବା ଦୁଇଟି ଟନେଲ ମଧ୍ୟରୁ ଗୋଟିକର ଲମ୍ବ ୩.୪ କିମି ଓ ଅନ୍ୟଟିର ଲମ୍ବ ୨.୮ କିମି । ଏହି ଦୁଇଟି ଟନେଲର ସୁରକ୍ଷା ଅଡିଟ୍ କରଯିବାର ସମ୍ଭାବନା ରହିଛି ।

 

Get real time updates directly on you device, subscribe now.