ନୂଆଦିଲ୍ଲୀ: କଶ୍ମୀରର କିସ୍ତୱାର ଜିଲ୍ଲାରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅପରେସନ ରେ ସାଧାରଣ ନାଗରିକଙ୍କୁ ଦୁଃର୍ବ୍ୟବହାର କରାଯାଇଥିବା ଅଭିଯୋଗର ତଦନ୍ତ ପାଇଁ ଭାରତୀୟ ସେନା ଗୁରୁବାର ନିର୍ଦ୍ଦେଶ ଦେଇଛି । ଭାରତୀୟ ସେନାର ହ୍ୱାଇଟ୍ ନାଇଟ୍ କର୍ପସ୍ ଏକ୍ସରେ ଲେଖିଛି, ୨୦ ନଭେମ୍ବର ୨୦୨୪ରେ କିସ୍ତୱାର ସେକ୍ଟରରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁଇନ୍ଦା ସୂଚନା ଆଧାରରେ ରାଷ୍ଟ୍ରୀୟ ରାଇଫଲ୍ସ ଏକ ଅଭିଯାନ ଆରମ୍ଭ କରିଥିଲା ।
ଅପରେସନ ସମୟରେ ସାଧାରଣ ନାଗରିକଙ୍କ ପ୍ରତି ଖରାପ ବ୍ୟବହାର କରାଯାଇଥିବା କେତେକ ରିପୋର୍ଟରେ ଦର୍ଶାଯାଇଛି । ଏହି ମାମଲାରେ ତଦନ୍ତ ଆରମ୍ଭ ହୋଇଛି । ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆତଙ୍କବାଦୀଙ୍କ ଏହି ଗୋଷ୍ଠୀ ଉପରେ ନଜର ରଖାଯାଇଛି । କିଛି ଗଣମାଧ୍ୟମ ରିପୋର୍ଟ ରେ କୁହାଯାଇଛି ଯେ ଭାରତୀୟ ସେନା ଏହି ସପ୍ତାହରେ ମଙ୍ଗଳବାର ଦିନ କିସ୍ତୱାରର କୌଥ୍ ଗ୍ରାମରେ ଥିବା ଏକ ଶିବିରକୁ କିଛି ସାଧାରଣ ନାଗରିକଙ୍କୁ ଡକାଇ ହଇରାଣ କରିଥିଲା ।
ନିକଟ ଅତୀତରେ ଜମ୍ମୁ ଅଞ୍ଚଳର ଚେନାବ ଉପତ୍ୟକାରେ ଉଗ୍ରବାଦର ଅନେକ ଘଟଣା ଘଟିଛି । କିଛି ଦିନ ତଳେ ଆତଙ୍କବାଦୀ ଓ ସେନା ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଭାରତୀୟ ସେନାର ଜଣେ ଅଧିକାରୀ ସହିଦ ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଥିଲେ । ଏହି ଘଟଣା ପୂର୍ବରୁ କିସ୍ତୱାର ଅଞ୍ଚଳରେ ଉଗ୍ରବାଦୀମାନେ ଗାଁ ସୁରକ୍ଷା କର୍ମୀଙ୍କ ଦୁଇ ଜଣଙ୍କୁ ଅପହରଣ କରି ହତ୍ୟା କରିଥିଲେ ।