fbpx

ସାଉଥ ସିନେମାରେ ‘ଅମାବାସ୍ୟା’: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ସୁପରଷ୍ଟାର ଚନ୍ଦ୍ରମୋହନ

Advertisement

ମୁମ୍ବାଇ: ସାଉଥ ସିନେମା ଇଣ୍ଡଷ୍ଟ୍ରିରେ ଖେଳିଯାଇଛି ଶୋକର ଲହରୀ । ତେଲୁଗୁ ସିନେମାର ପ୍ରତିଭାଶାଳୀ ତଥା ବରିଷ୍ଠ ଅଭିନେତା ଚନ୍ଦ୍ରମୋହନ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୮୨ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ସୁପରଷ୍ଟାର ଚନ୍ଦ୍ରମୋହନ । ଆଜି ସକାଳ ୯.୪୫ ସମୟରେ ହାଇଦ୍ରାବାଦସ୍ଥିତ ଜୁବଲୀ ହିଲ୍ସର ଏକ ପ୍ରାଇଭେଟ ହସ୍ପିଟାଲରେ ପ୍ରାଣତ୍ୟାଗ କରିଛନ୍ତି ସାଉଥର ଏହି ସୁପରଷ୍ଟାର । ଦୀର୍ଘ ଦିନରୁ ହୃଦରୋଗ ସମସ୍ୟାରେ ପୀଡ଼ିତ ହୋଇ ଚିକିତ୍ସା ଜାରି ରହିଥିବା ବେଳେ ଆଜି ତାଙ୍କର ଦେହାନ୍ତ ସାରା ସିନେଜଗତକୁ ଶୋକରେ ଭସାଇ ଦେଇଛି ।

୧୯୪୩ ମସିହା ମେ ୨୩ ତାରିଖରେ ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଚନ୍ଦ୍ରଶେଖର ରାଓ ମଲ୍ଲମପଲ୍ଲୀ ଔରଫ ଚନ୍ଦ୍ରମୋହନ । ୧୯୭୯ ମସିହାରେ ଆସିଥିବା ‘ପଦାହାରେଲା ବାୟସୁ’ ନାମକ ସିନେମାରେ ସେ ନିଜର ନିଖୁଣ ଅଭିନୟ ପାଇଁ ଫିଲ୍ମଫେୟରରେ ସର୍ବଶ୍ରେଷ୍ଠ ଅଭିନେତା ଭାବରେ ବିବେଚିତ ହୋଇଥିଲେ । ଏହାବ୍ୟତୀତ ୧୯୮୭ ମସିହାରେ ‘ଚନ୍ଦାମାମା ରାୱେ’ ପାଇଁ ନନ୍ଦୀ ପୁରସ୍କାର ମଧ୍ୟ ହାସଲ କରିଛନ୍ତି । ୧୯୯୬ ମସିହାରେ ରିଲିଜ ହୋଇଥିବା ‘ରଙ୍ଗୁଲା ରତ୍ନମ’ ସିନେମାରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଚନ୍ଦ୍ରମୋହନ । ଏହାପରେ ଅଭିନୟର ଯାଦୁରେ ସଫଳତାର ସମସ୍ତ ସିଡ଼ି ଚଢି ଉପରକୁ ଆସିଥିଲେ ଏହି ବରିଷ୍ଠ ଅଭିନେତା । ଶ୍ରୀଦେବୀ, ଜୟପ୍ରଦା, ଜୟାସୁଧା ପ୍ରମୁଖ ବଲିଉଡର ଆଗଧାଡ଼ିର ନାୟିକାଙ୍କ ସହ ସେ ଅଭିନୟ କରିସାରିଛନ୍ତି ।

ସପୋର୍ଟିଂ ରୋଲରେ ତାଙ୍କର ଅଭିନୟ ସମସ୍ତଙ୍କୁ ଭାବବିଭୋର କରିବା ସହ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲା । ତେବେ ନିକଟରେ ‘ଅକ୍ସିଜେନ’ସିନେମାରେ ସପୋର୍ଟିଂ ଆକ୍ଟର ଭାବରେ ସେ ଶେଷ ଥର ପାଇଁ କାମ କରିଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କ ଦେହାନ୍ତ ସାଉଥ ସିନେମା ପାଇଁ ଅମାବାସ୍ୟା ବୋଲି କୁହାଯାଇଛି । ଚନ୍ଦ୍ରମୋହନଙ୍କ ଦେହାନ୍ତରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଜି ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.