fbpx
BSKY SKY
BSKY SKY

ଓଡ଼ିଶାରେ ଦେବ ଦୀପାବଳି ଓ କାଳୀପୂଜା ପାଇଁ ମାର୍ଗଦର୍ଶିକା ଜାରି : ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପ୍ରସ୍ତୁତି

BSKY

ଭୁବନେଶ୍ୱର: ଆସନ୍ତାକାଲି ଦେବ ଦୀପାବଳି ଓ କାଳୀପୂଜା । ଏହି ଅବସରରେ ଦେବପୀଠ ଗୁଡ଼ିକ ଚଳଚଞ୍ଚଳ ହୋଇପଡିଛି । ଉପାସନାସ୍ଥଳୀଗୁଡ଼ିକୁ ରଙ୍ଗିନ ଆଲୋକମାଳାରେ ସଜାଯାଇଛି । ଆଲୋକ ଓ ଆନନ୍ଦର ପର୍ବ ଦୀପାବଳୀକୁ ପରିବେଶ ଅନୁକୂଳ ଭାବେ ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ବିଶେଷକରି ଶୀତଦିନରେ ପ୍ରଦୂଷଣର ପରିମାଣର ବୃଦ୍ଧିକୁ ଦେଖି ତୀବ୍ର ଶବ୍ଦଯୁକ୍ତ ଓ ବିଷାକ୍ତ ଧୂଆଁ ସୃଷ୍ଟିକାରୀ ବାଣ ନଫୁଟାଇବା ପାଇଁ ପରାମର୍ଶ ଦିଆଯାଇଛି । ବେରିୟମ ସଲ୍ଟ ଓ ଅନ୍ୟ କ୍ଷତିକାରକ ରାସାୟନିକ ପଦାର୍ଥ ଥିବା ବାଣକୁ ନଫୁଟାଇବା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । କେବଳ ସବୁଜବାଣକୁ ସୁପ୍ରିମକୋର୍ଟ ଅନୁମତି ଦେଇଥିବାରୁ ଏନେଇ ରାଜ୍ୟ ସରକାରଙ୍କ ତଦନୁଯାୟୀ ମାର୍ଗଦର୍ଶିକା ଜାରି କରାଯାଇଛି ।

ରାଜ୍ୟରେ ରାତି ୧୦ଟା ପରେ କେହି ବାଣ ନଫୁଟାଇବା ଲାଗି ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଏପରିକି ପ୍ରଚଣ୍ଡ ଶବ୍ଦସୃଷ୍ଟିକାରୀ ବାଣ ବିଦ୍ୟାଳୟ, ହସ୍ପିଟାଲ, ନର୍ସିଂହୋମ୍‍, ବୟସ୍କଙ୍କ ଆଶ୍ରୟସ୍ଥଳ, ସଡ଼କ ତଥା ଜନଗହଳିପୂର୍ଣ୍ଣ ଅଞ୍ଚଳରେ ନ ଫୁଟାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରୀବାହୀ ବସ୍‍ ଏବଂ ଅନ୍ୟାନ୍ୟ ଯାନବାହନରେ ବାଣ ପରିବହନକୁ ସରକାର ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି । ଯଦି ଏହି ଆଦେଶ ଅମାନ୍ୟ କରାଯାଏ ତେବେ ସମ୍ପୃକ୍ତ ଯାନବାହନ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ।

ଭଦ୍ରକର ଦକ୍ଷିଣେଶ୍ୱର କାଳୀ, ଆରଡିର ଶ୍ୟାମାକାଳୀ, ଚରମ୍ପାର ପଥର କାଳୀ ପୀଠ ସମେତ ସହରର ୬୦ରୁ ଊଦ୍ଧ୍ୱର୍ ମୃଣ୍ମୟୀ କାଳୀ ପ୍ରତିମାଙ୍କ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଭଦ୍ରକାଳୀ ସାହି ଆହରପଦାର ଅଧିଷ୍ଠାତ୍ରୀ ଦେବୀ ପ୍ରସିଦ୍ଧ ଭଦ୍ରକାଳୀ ପୀଠରେ ମହାଯଜ୍ଞ, ଗୀତାଯଜ୍ଞ ସହ ଦୀପାବଳୀଠାରୁ ୭ ଦିନ ବ୍ୟାପୀ କାଳୀପୂଜା ଅନୁଷ୍ଠିତ ହେଉଛି ।

କାଳୀପୂଜା, ଦୀପାବଳୀ ଓ ପୟାଶ୍ରାଦ୍ଧ ପାଇଁ ଶ୍ରୀକ୍ଷେତ୍ର ପୁରୀକୁ ଶ୍ରଦ୍ଧାଳୁଙ୍କ ଆଗମନ ବଢ଼ିଛି । ଶ୍ରଦ୍ଧାଳୁମାନେ ଆସନ୍ତାକାଲି ସକାଳେ ଶ୍ରୀମନ୍ଦିରର ଉତ୍ତରଦ୍ୱାର ନିକଟରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ ଓ ପିଣ୍ଡଦାନ କରିବେ । ଶ୍ରାଦ୍ଧ ପରେ ସେମାନେ ସିଂହଦ୍ୱାର ସମ୍ମୁଖ ବଡଦାଣ୍ଡରେ କାଉଁରିଆ ଜାଳି ବଡବଡୁଆ ଡାକିବାର ପରମ୍ପରା ରହିଆସିଛି । ଆସନ୍ତା ସୋମବାର ଶ୍ରୀମନ୍ଦିରରେ ଦୀପାବଳି ଉତ୍ସବ ଓ ସାଗର ବିଜେ ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି । ଏହି ଦିନ ପାରମ୍ପରୀକ ରୀତି ମତେ ଶ୍ରୀଜୀଉମାନଙ୍କର ଶଙ୍ଖ,ଚକ୍ର, ଗଦା, ପଦ୍ମ ଓ ହଳ-ମୂଷଳ ଆଦି ଆୟୂଧ ସବୁକୁ ପୂଜା କରାଯିବାର ବିଧି ରହିଛି । ପୁରୀ ସହରରେ ଥିବା ଶ୍ୟାମାକାଳୀ, ଦକ୍ଷିଣକାଳୀ, ବାଟକାଳୀ ଓ ଗଛକାଳୀଙ୍କ ସମେତ ସାକ୍ଷୀଗୋପାଳ ନିକଟସ୍ଥ ବୀରଗୋବିନ୍ଦପୁର ଗ୍ରାମରେ ଥିବା ପ୍ରସିଦ୍ଧ ତନ୍ତ୍ରପୀଠ ଭାବେ ପରିଚିତ ମା’ଦକ୍ଷିଣକାଳୀଙ୍କ ମନ୍ଦିରରେ କାଳିପୂଜା ଲାଗି ପ୍ରସ୍ତୁତି ଚାଲିଛି ।

Get real time updates directly on you device, subscribe now.