fbpx

ଇସ୍ରାଏଲକୁ ସପୋର୍ଟ କରୁଛି ଆମେରିକା: ଇରାନର ୬ ମିସାଇଲ ୮୦ ଡ୍ରୋନକୁ ନଷ୍ଟ କରିଥିବା ଦାବି

ନୂଆଦିଲ୍ଲୀ: ଶନିବାର ବିଳମ୍ବିତ ରାତିରେ ଇସ୍ରାଏଲ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଛି ଇରାନ । ଇସ୍ରାଏଲର ବିଭିନ୍ନ ସହର ଉପରକୁ ଇରାନ୍ ଏକା ସାଙ୍ଗରେ ୩୦୦ ଡ୍ରୋନ୍ ଏବଂ ମିସାଇଲ ଆଟାକ କରିଛି । ତେବେ ଏହାର ୯୯% ମିସାଇଲ ଏବଂ ଡ୍ରୋନକୁ ଆକାଶରେ ହିଁ ନଷ୍ଟ କରି ଦେଇଥିବା ଦାବି କରିଛି ଇସ୍ରାଏଲ । ଇରାନର ଏହି ଆକ୍ରମଣକୁ ଉଚିତ ଜବାବ ଦେବାରେ ଇସ୍ରାଏଲକୁ ସାହାଯ୍ୟ କରିଛି ଆମେରିକା । ଇରାନର ପ୍ରାୟ ୮୦ରୁ ଅଧିକ ଡ୍ରୋନ ସହ ୬ରୁ ଅଧିକ ବାଲାଷ୍ଟିକ ମିସାଇଲ ନଷ୍ଟ କରିଥିବା ଆମେରିକା ଦାବି କରିଛି । ଏ ନେଇ ଆମେରିକାର ରକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ୟଏସ ସେଣ୍ଟ୍ରାଲ କମାଣ୍ଡ ତରଫରୁ କୁହାଯାଇଛି ଯେ, ଇରାନର ଲଞ୍ଚର ବାହନ ଉପରେ ଏକ ବାଲାଷ୍ଟିକ ମିସାଇଲ ଆଟାକ କରିଥିଲା । ତେବେ ୟମନର ହୁତୀ ନିୟନ୍ତ୍ରିତ ଅଞ୍ଚଳରେ ୭ ୟୁଏଭି ମଧ୍ୟ ନଷ୍ଟ କରିଥିବା ଆମେରିକା ଦାବି କରିଛି । ଆମେରିକାର ସେନା ଏବଂ ଇସ୍ରାଏଲର ପ୍ରତିରକ୍ଷା ପ୍ରଣାଳୀ ଦାବି କରିଛନ୍ତି ଯେ, ସେମାନେ ଅନେକ ଡ୍ରୋନକୁ ନଷ୍ଟ କରିବାରେ ସଫଳ ହୋଇଛନ୍ତି । ସେପଟେ ଇସ୍ରାଏଲର ଆଇରନ୍ ଡୋମ୍ ମଧ୍ୟ ଇରାନ ଦ୍ୱାରା ବାୟୁରେ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ରର ୯୯ ପ୍ରତିଶତ ନଷ୍ଟ କରିଥିବା ଦାବି ହୋଇଛି। ଏହି ଆକ୍ରମଣରେ ଇସ୍ରାଏଲର ନେଭାଟିମ ବାୟୁସେନା ବେସରେ କିଛି କ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ଆକ୍ରମଣ ପରେ ଅନେକ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।

ଇରାନ ଆକ୍ରମଣର ଆଶଙ୍କା କରି ଇସ୍ରାଏଲ ପୂର୍ବରୁ ସ୍କୁଲ ବନ୍ଦ କରିଦେଇଛି। ଏହାସହିତ ସେନାକୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଥିଲା ଇସ୍ରାଏଲ । ଇସ୍ରାଏଲ ସିରିଆର ଇରାନ ଦୂତାବାସ ନିକଟରେ ଆକ୍ରମଣ କରିଥିଲା। ଇରାନ କହିଛି ଯେ ଏହା ହେଉଛି ଏହାର ପ୍ରତିଶୋଧ। ଇସ୍ରାଏଲ୍ ଆକ୍ରମଣରେ ଦୁଇଜଣ ଇରାନ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ସେବେଠାରୁ ଇରାନ ଏପରି ଆକ୍ରମଣ କରିବ ବୋଲି ଆଶଙ୍କା ରହିଥିଲା। ଆମେରିକା ମଧ୍ୟ ଇରାନକୁ ଆକ୍ରମଣ ନକରିବାକୁ ଚେତାବନୀ ଦେଇଥିଲା ଏବଂ ଧମକ ଦେଇଥିଲା ଯେ ଇସ୍ରାଏଲକୁ ଦଣ୍ଡ ଦିଆଯିବ।

Get real time updates directly on you device, subscribe now.