କଳାରେ ଲାଗିଲା ନୃଶଂସତାର କଳଙ୍କ! ଅସୁର ଭୂମିକାରେ ଅଭିନୟ କରୁଥିବା ଅଭିନେତା ମଞ୍ଚ ଉପରେ ଜୀବନ୍ତ ଘୁଷୁରୀକୁ ମାରି ଖାଇଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ମଞ୍ଚରେ, ଚଳଚ୍ଚିତ୍ରରେ ଅଭିନେତାମାନଙ୍କୁ ବିଭିନ୍ନ ଭୂମିକାରେ ଅଭିନୟ କରିବାକୁ ପଡ଼ିଥାଏ । କଳାକାରମାନେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ ହସାଇଥାନ୍ତି ଓ କନ୍ଦାଇଥାନ୍ତି । ତେବେ ଏହା ମଧ୍ୟରେ କଳା ନାମରେ ଲାଗିଛି ଏକ ବଡ଼ କଳଙ୍କ । ନାଟକ ପରିବେଷଣ କରିବା ସମୟରେ କିଛି କଳାକାର ନୃଶଂସତାର ସବୁ ସୀମା ଟପି ଯାଇଛନ୍ତି । ଅସୁର ଭୂମିକାରେ ଅଭିନୟ କରୁଥିବା ଏହି କଳାକାରମାନେ ସତେ ଯେମିତି ସତ ସତିକା ଅସୁର ପାଲଟି ଯାଇଛନ୍ତି ।

ଖବର ମୁତାବକ, ବ୍ରହ୍ମପୁରରେ ଦେଖିବାକୁ ମିଳିଛି ଏଭଳି ଲଜ୍ଜାଜନକ ଘଟଣା । ପୌରାଣିକ ନାଟକ କଥାବସ୍ତୁ ପ୍ରଦର୍ଶନ କରିବା ସମୟରେ କଳାକାରମାନେ ମଞ୍ଚ ଉପରେ ସାପ ଖେଳ ସାଙ୍ଗକୁ ଜୀବନ୍ତ ଘୁଷୁରୀକୁ ଖାଇବାକୁ ପଛାଇ ନାହାନ୍ତି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ନଭେମ୍ବର ୨୪ ତାରିଖରେ କାଞ୍ଜି ଅଁଳା ଅବସରରେ ଦୁଇ ଦଳ ରାମାୟଣ ନାଟକ ପରିବେଷଣ କରିଥିଲେ । ସେଥିରେ ଖଲ୍ଲିକୋଟ ଥାନା ଅଞ୍ଚଳର ଏକ ନାଟ୍ୟ ସଂସଦ ତରଫରୁ ରାମାୟଣ ନାଟକ ମଞ୍ଚସ୍ଥ ହୋଇଥିଲା । ଦୁଇଜଣ କଳାକାର ବିପଜ୍ଜନକ ଭାବେ ନାଗ ସାପ ପ୍ରଦର୍ଶନ କରି ଜାତୀୟ ବନ୍ୟ ପ୍ରାଣୀ ଆଇନ ୧୯୭୨ର ଖୋଲାଖୋଲି ଉଲ୍ଲଂଘନ କରିଥିଲେ । ଏନେଇ ବନ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି । ସେହିପରି ମଞ୍ଚ ଉପରେ ଲୋକଙ୍କ ସାମ୍ନାରେ କଳାକାରମାନେ ଜୀବନ୍ତ ଘୁଷୁରୀକୁ ମାରି ତା’ର ଅନ୍ତ ବୁଜୁଳାକୁ ଖାଇଥିବା ଦେଖିବାକୁ ମିଳିଥିଲା । ନିୟମକୁ ଉଲ୍ଲଂଘନ କରି ଏଭଳି ଅମାନବୀୟ ନାଟକ ପ୍ରଦର୍ଶନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଓ ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।