fbpx

ଓଡ଼ିଶାରେ ବୈଧ ଆନ୍ଧ୍ର ଓ ନାଗାର୍ଜୁନ B.Ed: ସରକାରୀ ସ୍କୁଲରେ ଚାକିରି କରିପାରିବେ ଛାତ୍ରଛାତ୍ରୀ, ସ୍ପଷ୍ଟ କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ଶିକ୍ଷକତା କରିବା ପାଇଁ ଅବୈଧ ନୁହେଁ ଆନ୍ଧ୍ର ବି.ଏଡ୍ । ଆନ୍ଧ୍ରପ୍ରଦେଶ କିମ୍ବା ନାଗାର୍ଜୁନ ୟୁନିଭରସିଟିର ବିଏଡ୍ ପାଠ୍ୟକ୍ରମର କୃତି ଛାତ୍ରଛାତ୍ରୀମାନେ ଓଡ଼ିଶାର ସରକାରୀ ବିଦ୍ୟାଳୟରେ ଚାକିରି ପାଇପାରିବେ । ମାତ୍ର ଏ କ୍ଷେତ୍ରରେ କିଛି ସର୍ତ୍ତ ରହିଛି । ପ୍ରାଥମିକ ବିଦ୍ୟାଳୟରେ ଚାକିରି କରିବା ପାଇଁ ବିଏଡ୍ ସାର୍ଟିଫିକେଟଧାରୀଙ୍କୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପାସ କରିବାକୁ ପଡ଼ିବ ।

ସେହିପରି ମାଧ୍ୟମିକ ସ୍କୁଲରେ ଚାକିରି ପାଇଁ ସେମାନଙ୍କୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ପାସ୍ କରିବାକୁ ପଡ଼ିବ । ଏହି ଯୋଗ୍ୟତା ନଥିଲେ ପ୍ରାର୍ଥୀ ସରକାରୀ ସ୍କୁଲରେ ଚାକିରି କରିପାରିବେ ନାହିଁ ବୋଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆନ୍ଧ୍ରପ୍ରଦେଶର କୌଣସି ୟୁନିଭରସିଟିରୁ ବି.ଏଡ୍ ଶିକ୍ଷାଲାଭ କରିଥିବା ପ୍ରାର୍ଥୀଙ୍କ ପ୍ରମାଣପତ୍ରକୁ ଓଡ଼ିଶା ସରକାର ଅବୈଧ ଘୋଷଣା କରିପାରିବେ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଚଳିତ ବର୍ଷ ରାଜ୍ୟରେ ବି.ଏଡ୍ ଆଡମିସନରେ କିଛିଟା ଅନିଶ୍ଚିତତା ଦେଖାଦେଇଛି । ତେଣୁ ଏପରି ସ୍ଥିତିରେ ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀ ଆନ୍ଧ୍ର ମୁହାଁ ହୋଇଛନ୍ତି । ଆନ୍ଧ୍ରରୁ ବି.ଏଡ୍ ଡିଗ୍ରୀ ହାସଲ କରି କିଛି ଛାତ୍ରଛାତ୍ରୀ ଓଡ଼ିଶାର ସରକାରୀ ସ୍କୁଲରେ ଚାକିରି ପାଉଥିବା ବେଳେ ଆଉ କିଛି ଓଡ଼ିଶାରେ ବି.ଏଡ୍ ପାସ୍ କରି ଚାକିରିରୁ ବଞ୍ଚିତ ହେଉଥିବାର ଦେଖାଯାଉଛି । ତେବେ ଆନ୍ଧ୍ର ଓ ନାଗାର୍ଜୁନ ବି.ଏଡ ସାର୍ଟିଫିକେଟକୁ ଅବୈଧ ଘୋଷଣା କରିବାକୁ କିଛି ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ରିପୋର୍ଟ ମଗାଯାଇଥିଲା ।

Get real time updates directly on you device, subscribe now.