fbpx
BJD SKY
BJD SKY

ନିୟମିତ ହେବେ ଅଙ୍ଗନବାଡ଼ି ସୁପରଭାଇଜର! ଓଡ଼ିଶା ହାଇକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ରାୟ

BJD

କଟକ: ଅଙ୍ଗନବାଡ଼ି ସୁପରଭାଇଜରଙ୍କ ପାଇଁ ଆସିଛି ଖୁସି ଖବର । ଚୟନ କମିଟି ସୁପାରିସ ଆଧାରରେ ୨୦୧୦ରୁ ଅଙ୍ଗନବାଡି ସୁପରଭାଇଜର ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିବା ଆବେଦନକାରୀଙ୍କ ଚାକିରି ନିୟମିତ ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚାକିରି ନିୟମିତ ପ୍ରସଙ୍ଗରେ ଆବେଦନକାରୀ ଅଙ୍ଗନବାଡି ସୁପରଭାଇଜରଙ୍କ ସପକ୍ଷରେ ଆଇନ ଅନୁସାରେ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ଦୁଇ ମାସ ଭିତରେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁଶ୍ରୀ ସଂଗୀତା ସାମନ୍ତରାୟ ଓ ଅନ୍ୟ ଚାରି ଜଣଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀମାନେ ସ୍ନାତକ ପାସ୍ କରିବା ସହିତ ଅଙ୍ଗନବାଡ଼ି କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ୫ ବର୍ଷରୁ ଅଧିକ ସମୟ ଧରି ଅଙ୍ଗନବାଡ଼ି କର୍ମୀ ଭାବେ କାର୍ଯ୍ୟ କରୁଥିବା ସ୍ନାତକ ଡିଗ୍ରିଧାରୀ ଆବେଦନକାରୀଙ୍କୁ ସୁପରଭାଇଜର ପଦରେ ନିଯୁକ୍ତି ପାଇଁ ୨୦୧୦, ଅଗଷ୍ଟ ୧୦ରେ ଅନୁଷ୍ଠିତ ଚୟନ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହାପରେ ପୁରୀ ଜିଲ୍ଲାର ବିଭିନ୍ନ ସମନ୍ବିତ ଶିଶୁବିକାଶ ଯୋଜନା ପ୍ରକଳ୍ପରେ ସେମାନଙ୍କୁ ସୁପରଭାଇଜର ଭାବେ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଅଙ୍ଗନବାଡ଼ି ସୁପରଭାଇଜର ପଦବିରେ ନିଯୁକ୍ତି ପରେ ଆବେଦନକାରୀଙ୍କ ଚାକିରି ନିୟମିତ କରାଯିବା କଥା। କିନ୍ତୁ, ପରବର୍ତ୍ତୀ ସମୟରେ ଆବେଦନକାରୀଙ୍କ ଚାକରି ନିୟମିତ କରାଯାଇ ନଥିଲା କି ସେମାନଙ୍କୁ ନିୟମିତ କର୍ମଚାରୀଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ପ୍ରଦାନ କରାଯାଇ ନଥିଲା।

୨୦୧୭ରେ ଏ ନେଇ ଆବେଦନକାରୀ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ (ସ୍ୟାଟ୍‌)ଙ୍କ ଦ୍ବାରସ୍ଥ ହୋଇଥିଲେ। ସ୍ୟାଟ୍ ଉଚ୍ଛେଦ ହେବାପରେ ମାମଲା ଶୁଣାଣି ପାଇଁ ହାଇକୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ଅଙ୍ଗନବାଡ଼ି ସୁପରଭାଇଜର ପଦବି‌ରେ ନିଯୁକ୍ତିର ୧୨ ବର୍ଷ ପରେ ସେମାନଙ୍କ ଚାକରି ନିୟମିତ ପାଇଁ ମହିଳା ଓ ଶିଶୁବିକାଶ ବିଭାଗ ପଦକ୍ଷେପ ଗ୍ରହଣ ନ କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶଶିଭୂଷଣ ଜେନା ମାମଲା ପରିଚାଳନା କରୁଥିଲେ।

Get real time updates directly on you device, subscribe now.