fbpx

EWS ସଂରକ୍ଷଣକୁ ନେଇ ବଦଳିବ ନିୟମ: ବାର୍ଷିକ ଇନକମ୍ ୮ ଲକ୍ଷରୁ ୫ ଲକ୍ଷକୁ ହ୍ରାସ ପାଇପାରେ

ନୂଆଦିଲ୍ଲୀ: ଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଲ୍ୟୁଏସ)ଙ୍କ ସଂରକ୍ଷଣକୁ ନେଇ ବଦଳିପାରେ ନିୟମ । ଏନେଇ କେନ୍ଦ୍ର ସରକାର ଏକ ୩ ଜଣିଆ ପ୍ୟାନେଲ ଗଠନ କରିଥିବା ବେଳେ ଏହି ପ୍ୟାନେଲ ସୁପ୍ରିମକୋର୍ଟଙ୍କ ନିକଟରେ ନିଜର ମତାମତ ଉପସ୍ଥାପନ କରିବ । ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ବର୍ତ୍ତମାନ ୧୦ ପ୍ରତିଶତ ସଂରକ୍ଷଣ ପାଇଁ ବାର୍ଷିକ ୮ ଲକ୍ଷ ଟଙ୍କା ଇନକମ ସର୍ତ୍ତ ରହିଛି । ତେବେ ଏହି ନିୟମକୁ ନେଇ ବର୍ତ୍ତମାନ ବିଭିନ୍ନ ଦିଗରୁ ପ୍ରଶ୍ନ ଉଠିବା ପରେ ଏହା ଏବେ ଚର୍ଚ୍ଚାରେ ରହିଛି । ବର୍ତ୍ତମାନ ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଏହାର ସମାଧାନ ପାଇଁ ଏକ ପ୍ୟାନେଲ ଗଠନ କରିସାରିଛନ୍ତି । ତେବେ ଏହି ନିୟମ ଲାଗୁହେଲେ ତାହା ବିଦ୍ୟାର୍ଥୀଙ୍କ ଉପରେ କି ପ୍ରଭାବ ପକାଇବ ତାହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ ।

ତେବେ ୩ ଜଣିଆ ପ୍ୟାନେଲ ସୁପ୍ରିମକୋର୍ଟଙ୍କ ନିକଟରେ ନିଜର ପ୍ରସ୍ତାବ ରଖିବା ପରେ ବାର୍ଷିକ ଇନକମ୍ ସର୍ତ୍ତ ବଢ଼ିବ କି ହ୍ରାସ ପାଇବ ତାହା ସୁପ୍ରିମକୋର୍ଟ ସ୍ଥିର କରିବେ । ବର୍ତ୍ତମାନ ୧୦ ପ୍ରତିଶତ ସଂରକ୍ଷଣ ଲାଭ ଉଠାଉଥିବା ଅଧିକାଂଶ ଲୋକଙ୍କ ବାର୍ଷିକ ଇନକମ୍ ୫ ଲକ୍ଷ ତଳକୁ ରହିଛି । ଗତ ୨୦୨୦ ନିଟ୍ ପରୀକ୍ଷାରେ ଇଡବ୍ଲ୍ୟୁଏସର ଲାଭ ଉଠାଇଥିବା ୯୧ ପ୍ରତିଶତ ଲୋକଙ୍କ ବାର୍ଷିକ ଇନକମ୍ ୫ ଲକ୍ଷରୁ କମ୍ ରହିଥିଲା । ଅପରପକ୍ଷେ ୭୧ ପ୍ରତିଶତ ଲୋକଙ୍କ ବାର୍ଷିକ ଇନକମ୍ ୨ ଲକ୍ଷରୁ କମ୍ ଥିଲା । ସେହିପରି ୨୦୨୦ ଜେଇଇ ପରୀକ୍ଷାରେ ୯୫ ପ୍ରତିଶତ ଲୋକଙ୍କ ବାର୍ଷିକ ଇନକମ୍ ୫-୬ ଲକ୍ଷ ମଧ୍ୟରେ ରହିଥିଲା । ଏପରି ଟେଣ୍ଡ ସରକାରୀ ଚାକିରି କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି । ଏହି କାରଣରୁ ବାର୍ଷିକ ଆୟ ସୀମା ୮ ଲକ୍ଷରୁ ହ୍ରାସ କରି ୫ ଲକ୍ଷ ରଖାଯିବାକୁ ବିଚାର ପ୍ରକ୍ରିୟା ଚାଲିଛି ।

Get real time updates directly on you device, subscribe now.