fbpx

ପୁଣି ଏକ ଘାତକ ଭାଇରସ୍ ପ୍ରସ୍ତୁତ କଲେ ଚୀନର ବୈଜ୍ଞାନିକ: ଏହି ନୂଆ ଭୂତାଣୁ ସଂସ୍ପର୍ଶରେ ଆସିଲେ ୩ ଦିନରେ ଘଟିବ ମୃତ୍ୟୁ!

AAKASH

ନୂଆଦିଲ୍ଲୀ: କରୋନା ଭାଇରସ୍ ନାଁ ଶୁଣିଲେ ଆଜି ବି ମନରେ କୋକୁଆ ଭୟ ସୃଷ୍ଟି ହେଉଛି । ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱକୁ ନିଜ ମାୟାଜାଲରେ କରାୟତ କରି ରଖିଥିଲା ଏହି ଭାଇରସ । ଚୀନର ଉହ୍ୱାନ ଲ୍ୟାବରୁ ପ୍ରସ୍ତୁତ ହୋଇଥିବା ଏହି ଭାଇରସ୍ ପରବର୍ତ୍ତୀ ସମୟରେ ସାରା ବିଶ୍ୱବାସୀଙ୍କ ବିନାଶର କାରଣ ସାଜିଥିଲା ବୋଲି ଅନେକ ଥର ଅଭିଯୋଗ ହୋଇ ଆସିଛି । ତେବେ କରୋନା ଭୂତାଣୁର ଭୟ ମନରୁ ନ ଲିଭୁଣୁ ପୁଣି ଏକ ନୂଆ ଭାଇରସ୍ ପ୍ରସ୍ତୁତ କରିଛି ଚୀନ । ଚୀନର ହେବେଇ ମେଡିକାଲ ୟୁନିଭରସିଟିର ବୈଜ୍ଞାନିକମାନେ ପ୍ରସ୍ତୁତ କରିଥିବା ଏହି ଘାତକ ଭୂତାଣୁ ସଂସ୍ପର୍ଶରେ ଆସିଲେ ୩ ଦିନରେ ମୃତ୍ୟୁ ଘଟିବ ବୋଲି ଆଶଙ୍କା କରାଯାଉଛି । କାରଣ ଏହା କରୋନା ଠାରୁ ଅଧିକ ବିପଜ୍ଜନକ ହୋଇଥିବା ବେଳେ ପରୀକ୍ଷାମୂଳକ ଭାବେ ଏହାକୁ ଏକ ମୂଷାଠାରେ ପ୍ରୟୋଗ କରାଯାଇଥିଲା । ଫଳରେ ୩ ଦିନ ଭିତରେ ଉକ୍ତ ମୂଷାଟିର ମୃତ୍ୟୁ ଘଟିଥିବା କୁହାଯାଉଛି ।

ହେବେଇ ବିଶ୍ୱବିଦ୍ୟାଳୟର ପରୀକ୍ଷାଗାରରେ ପ୍ରସ୍ତୁତ ହୋଇଥିବା ଏହି ନୂଆ ଭୂତାଣୁକୁ ନେଇ ଏବେ ସାରା ବିଶ୍ୱରେ ଚିନ୍ତା ପ୍ରକାଶ ପାଇଛି । ପାଖାପାଖି ୪ ବର୍ଷ ପୂର୍ବେ କୋଭିଡ-୧୯ ଭୂତାଣୁ ଚୀନର ପରୀକ୍ଷାଗାରରେ ପ୍ରସ୍ତୁତ ହୋଇ ଯେଉଁ ତାଣ୍ଡବ ରଚିଥିଲା ତା’ର ଭୟାବହତା ବିଷୟରେ ସାରା ବିଶ୍ୱବାସୀ ସମସ୍ତେ ଭଲ ଭାବେ ଅବଗତ । ଏବେ ପୁଣି ଥରେ ଚୀନ ଆଉ ଏକ ଭାଇରସ୍ ପ୍ରସ୍ତୁତ କରିବା ସଭିଙ୍କୁ ଆଶଙ୍କା ଘେରକୁ ଠେଲି ଦେଇଛି । ଏହି ନୂଆ ଭାଇରସ୍ ଯଦି କରୋନା ପରି ବ୍ୟାପିବା ଆରମ୍ଭ କରେ, ତେବେ ପରିସ୍ଥିତି କ’ଣ ହେବ ତାହା ଆକଳନ କରିବା ନିହାତି କଷ୍ଟକର । ଗୋଟିଏ ମୂଷା ଉପରେ ଏହି ନୂଆ ଭୂତାଣୁକୁ ପରୀକ୍ଷାମୂଳକ ଭାବେ ପରୀକ୍ଷା କରାଯିବା ପରେ ୩ ଦିନ ଭିତରେ ମୂଷାଟିର ମୃତ୍ୟୁ ଘଟିଥିଲା ।

ବୈଜ୍ଞାନିକମାନେ ଇବୋଲା ଭୂତାଣୁର କିଛି ଅଂଶକୁ ନେଇ ସେଥିରେ ଜିନଗତ ପରିବର୍ତ୍ତନ କରିଛନ୍ତି । ଇବୋଲା ଭୂତାଣୁରୁ ସୃଷ୍ଟି ହେଉଥିବା ରୋଗ ଓ ତା’ର ଲକ୍ଷଣ ସମ୍ପର୍କରେ ବିଶ୍ଲେଷଣ କରିବା ପାଇଁ ବୈଜ୍ଞାନିକମାନେ ଏହି ଭୂତାଣୁ ତିଆରି କରିଥିଲେ ହେଁ ତା’ର ଭୟାବହତାକୁ ନେଇ ଏବେ ସାରା ବିଶ୍ୱରେ ଚିନ୍ତା ପ୍ରକାଶ ପାଇଛି । ଇବୋଲା ଭୂତାଣୁରେ ରହିଥିବା ଗ୍ଲାଇକୋ ପ୍ରୋଟିନକୁ ବ୍ୟବହାର କରି ଏକ ନୂଆ ଭୂତାଣୁ ତିଆରି କରାଯାଇଥିବା କୁହାଯାଇଛି । ଏହି ଭୂତାଣୁ ମଣିଷ ଦେହରେ ପ୍ରବେଶ କରିବା ପରେ ଅତି କ୍ଷିପ୍ର ବେଗରେ ବ୍ୟାପିଥାଏ ଓ ଜୀବକୋଷଗୁଡ଼ିକୁ ସଂକ୍ରମିତ କରିଦେଇଥାଏ । ନୂଆ ଭୂତାଣୁକୁ ଇବୋଲା ଭୂତାଣୁର ଏକ ଭାରିଆଣ୍ଟ ବୋଲି କୁହାଯାଉଛି । ଇବୋଲା ଭାଇରସ୍ ସଂସ୍ପର୍ଶରେ ଆସିବା ପରେ ରୋଗୀ ଯେପରି ଅସୁସ୍ଥ ହୋଇପଡ଼େ, ସେହିପରି ନୂଆ ଭାରିଆଣ୍ଟ ଶରୀରରେ ଗୁରୁତର ଅସୁସ୍ଥତା ସୃଷ୍ଟି କରିଥାଏ ଓ ଶରୀରର ଏକାଧିକ ଅଙ୍ଗପ୍ରତ୍ୟଙ୍ଗକୁ ଅକାମୀ କରିଦିଏ । କିଛି ମୂଷାଙ୍କ ଉପରେ ନୂଆ ଭୂତାଣୁର ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କର ଆଖିଡୋଳାରେ ଚର୍ମରୋଗ ପରି ଦେଖିବାକୁ ମିଳିଥିଲା । ଫଳରେ ସେମାନଙ୍କର ଦୃଷ୍ଟିଶକ୍ତି କ୍ଷତିଗ୍ରସ୍ତ ହୋଇଥିଲା ।

Get real time updates directly on you device, subscribe now.