ଆଉ ଏକ ଲଘୁଚାପ, ଆସନ୍ତା ୨୪ ଘଣ୍ଟାରେ ଏହିସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା!

ଭୁବନେଶ୍ୱର: ଆସନ୍ତା ତିନି ଦିନ ରାଜ୍ୟରେ ଅଧିକ ବର୍ଷା ସମ୍ଭାବନା ରହିଛି। କିନ୍ତୁ ୮ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା କମିବ। ୧୨ ତାରିଖ ଯାଏଁ ରାଜ୍ୟରେ କାଁ ଭାଁ ବର୍ଷା ହୋଇପାରେ। ବରିଷ୍ଠ ପାଣିପାଗବିତ୍ ପ୍ରଫେସ ସୁରେନ୍ଦ୍ର ନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି। ତେବେ, ଆସନ୍ତୁ ଜାଣିବା କେଉଁସବୁ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ହୋଇଛି।

ଭଦ୍ରକ ଠାରୁ ଗଂଜାମ ଯାଏଁ ଉପକୂଳରେ ଆଜି ଓ ଆସନ୍ତାକାଲି ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ସୁ୍ନ୍ଦରଗଡ,ଝାରସୁଗୁଡା,ସମ୍ବଲପୁର ଓ ଦେବଗଡ଼ରେ ୮ ତାରିଖ ଯାଏଁ ମଧ୍ୟମ ପରିମାଣର ବର୍ଷା ହୋଇପାରେ। ୯ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ସମ୍ବଲପୁରରୁ କଳାହାଣ୍ତି ଯାଏଁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

ଏବେ ଏକ ଲଘୁଚାପ କ୍ଷେତ୍ର ଝାଡଖଣ୍ତର ଧାନବାଦ୍ ଉପରେ ରହିଛି। ୨ ରୁ ୩ ଦିନ ଯାଏଁ ସେହି ପାଖାପାଖି ରହିବ। ଏହାପରେ ପଶ୍ଚିମ ଝାଡଖଣ୍ତ ଓ ସଂଲଗ୍ନ ମଧ୍ୟପ୍ରଦେଶ ଉପରେ ୨ ଦିନ ରହିବ। ପରେ ୨ ଦିନ ପ୍ରୟାଗରାଜ୍ ଓ ପାଟଣା ମଧ୍ୟରେ ରହିବ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ୧୨ ଯାଏଁ ବର୍ଷା କମ୍ ହେବ।

ହେଲେ, ପାଣିପାଗ ବିଭାଗର ଆକଳନ କହୁଛି ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଲଘୁଚାପର ରୂପ ନେଇପାରେ। ଆଜି ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହି ୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ରହିଛି। ସୁନ୍ଦରଗଡ, ଝାରସୁଗୁଡା,ସମ୍ବଲପୁର, ଦେବଗଡ଼, ବରଗଡ, ସୋନପୁର, ଅନୁଗୁଳ, ଢେଙ୍କାନାଳ, ନବରଙ୍ଗପୁର, କୋରାପୁଟ୍ ଓ ରାୟଗଡାରେ ପ୍ରବଳ ବର୍ଷା ହୋଇପାରେ।

ଆସନ୍ତାକାଲି ସୁନ୍ଦରଗଡ, ଝାରସୁଗୁଡା ଓ ସମ୍ବଲପୁରରେ ଅଧିକ ବର୍ଷା ସମ୍ଭାବନା ରହିଛି। ୮ ତାରିଖ ଝାରସୁଗୁଡା, ବରଗଡ଼, ସୁନ୍ଦରଗଡରେ ଭାରି ବର୍ଷା ହୋଇପାରେ।