ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଫଳରେ ନଭେମ୍ବର ପ୍ରଥମ ସପ୍ତାହରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୬-୭ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ଏହା ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇପାରେ । ତେବେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା କମ ରହିଛି।
ଭାରତୀୟ ପାଣିପାଗ ବିଭାଗ-ଆଇଏମଡିର ପରିବ୍ୟାପ୍ତ ଆଉଟଲୁକ ଅନୁଯାୟୀ, ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ ରହିବନି। କିନ୍ତୁ କହଲା ପାଗ ରହିବ। କିଛି ଜିଲ୍ଲାରେ ଝିପଝିପ୍ ବର୍ଷା ଲାଗିରହିବ। ନଭେମ୍ବର ୫ରୁ ୧୫ ତାରିଖ ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ।
ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି, ନଭେମ୍ବର ପ୍ରଥମ ସପ୍ତାହର ଶେଷ ଭାଗରେ ଅର୍ଥାତ ୬ କିମ୍ବା ୭ ତାରିଖ ଆଡ଼େ ଏଭଳି ଏକ ସିଷ୍ଟମ ରୂପ ନେଇପାରେ। ଏହାର ପ୍ରଭାବରେ ନଭେମ୍ବର ଦ୍ବିତୀୟ ସପ୍ତାହ ବେଳକୁ ଉତ୍ତର ପଶ୍ଚିମ ଭାରତ, ଏଥିସହ କେନ୍ଦ୍ର ଓ ପୂର୍ବ ଭାରତରେ ତାପାମାତ୍ରା କମିଯିବ ବୋଲି ଆକଳନ କରାଯାଇଛି। କିନ୍ତୁ ଏହି ଲଘୁଚାପ ଆଗକୁ କ’ଣ ରୂପ ନେବ ଏବଂ ସେହି ସମୟରେ ସାମୁଦ୍ରିକ ପରିବେଶ କେମିତି ରହିବ, ସେ ବିଷୟରେ ବିଶେଷ କିଛି ସ୍ପଷ୍ଟ ହୋଇନାହିଁ।