fbpx
BSKY
BJD SHG SKY
BJD YOUTH SKY

ଭୁବନେଶ୍ୱର ଲୋକସଭା ଆସନ କିଏ ଅକ୍ତିଆର କରିବ: ଅପରାଜିତାଙ୍କୁ ଚ୍ୟାଲେଞ୍ଜ ଦେବେ ମନ୍ମଥ, କାହା ସପକ୍ଷରେ ଯିବ ଜନମତ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଠାରୁ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ କମ୍ ଭୋଟରେ ହାରି ଯାଇଥିଲେ । ତେବେ ରାଜଧାନୀରେ ଅପରାଜିତାଙ୍କ ଦବଦବାକୁ ରୋକିବା ପାଇଁ ବିଜେଡି ଏଥର ଶ୍ରୀମୟୀ ମିଶ୍ରଙ୍କୁ ଆଗକୁ ଆଣିଥିଲା । ଏପରିକି ସେ ଏଠାରୁ ପ୍ରାର୍ଥୀ ହେବେ ବୋଲି ଦଳର କିଛି ବରିଷ୍ଠ ନେତା କହିଥିଲେ । ତେଣୁ କିଛି ମାସ ହେଲା ଶ୍ରୀମୟୀ ରାଜଧାନୀରେ ପ୍ରଚାର କାର୍ଯ୍ୟ ଜାରି ରଖିଥିଲେ ।

ତେବେ ଶେଷ ମୁହୂର୍ତ୍ତରେ ବିଜେଡି ତା’ର ଗେମ୍ ପ୍ଲାନ ବଦଳାଇ ଦେଇଥିଲା । ଶ୍ରୀମୟୀଙ୍କ ବଦଳରେ ବିଜେଡି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ବିଜେଡିର ଏହି ରଣନୀତି ସଭିଙ୍କୁ ତାଜୁବ କରିଦେଇଥିଲା । ତେବେ ରାଜନୀତିରେ ମନ୍ମଥ ନୂଆ ହୋଇଥିବା ବେଳେ ଅପରାଜିତାଙ୍କର ରାଜନୀତିରେ ୫ ବର୍ଷର ଅଭିଜ୍ଞତା ରହିଛି । ତେଣୁ ମନ୍ମଥଙ୍କର ପ୍ରାର୍ଥୀତ୍ୱ ବିଜେଡିକୁ କେତେ ଫାଇଦା ଦେବ ତାହା ସମୟ କହିବ । ଗତ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ବାଜିମାତ୍ କରିଥିବା ବେଳେ ଭୁବନେଶ୍ୱର-ଉତ୍ତର, ଭୁବନେଶ୍ୱର- ମଧ୍ୟ ଓ ଭୁବନେଶ୍ୱର-ଏକାମ୍ର ତିନିଟି ଯାକ ଆସନ ବିଜେଡି ଅକ୍ତିଆର କରିଥିଲା । ତେଣୁ ରାଜଧାନୀର ଶିକ୍ଷିତ ଭୋଟରମାନେ ଦଳ ଅପେକ୍ଷା ନେତାଙ୍କୁ ଦେଖି ଭୋଟ ଦେଉଛନ୍ତି ତାହା ପୂର୍ବରୁ ପ୍ରମାଣିତ ହୋଇ ସାରିଛି । ଏଥର ଭୋଟର କେଉଁ ଆଧାରରେ ନେତା ଚୟନ କରିବେ ତାହା ଫଳାଫଳ ଆସିଲେ ଜଣାପଡ଼ିବ ।

ରାଜଧାନୀରେ ଅପରାଜିତାର ଏକ ବଡ଼ ସଂଗଠନ ରହିଥିବା ବେଳେ ସେ ନିରନ୍ତର ଭାବେ ପ୍ରଚାର ମାଧ୍ୟମରେ ତୃଣମୂଳ ସ୍ତରର ଲୋକଙ୍କ ନିକଟତର ହୋଇଛନ୍ତି । ଅନ୍ୟପଟେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ମନ୍ମଥଙ୍କର କୌଣସି ବଡ଼ ସଂଗଠନ ନଥିବା ବେଳେ ପ୍ରାର୍ଥୀ ଘୋଷଣା ହେବା ପରେ ସେ ପ୍ରଚାର ଆରମ୍ଭ କରିଦେଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ବରିଷ୍ଠ ନେତା ସୁର ରାଜଧାନୀର ଗଳିକନ୍ଦିରେ ଭଲ ଭାବେ ପରିଚିତ ଅଟନ୍ତି । ତେଣୁ ତାଙ୍କୁ ଭରସା କରି ତାଙ୍କ ପୁଅ ମନ୍ମଥଙ୍କୁ ଭୋଟର କେତେଦୂର ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା । ସେହିପରି ଶାସକ ବିଜେଡିର ଆଦର୍ଶ ଓ ବରିଷ୍ଠ ନେତାଙ୍କ ପାଇଁ ମନ୍ମଥ କେତେ ଭୋଟ ହାତେଇବାକୁ ସକ୍ଷମ ହେବେ ତାହା ଏକ ବଡ଼ ପ୍ରଶ୍ନ । ରାଜନୀତିରେ କିଛି ବି ସମ୍ଭବ ନୁହେଁ । ଜନତା ଯାହାକୁ ଚାହିଁବେ ସିଏ ହେବ ରାଜା । ତେଣୁ ଭୁବନେଶ୍ୱର ଲୋକସଭା ଆସନରେ ଏଥର ଅପରାଜିତା-ମନ୍ମଥଙ୍କ ମଧ୍ୟରେ ନିଶ୍ଚିତ ଭାବେ କଡ଼ା ଟକ୍କର ହେବ ।

Get real time updates directly on you device, subscribe now.