fbpx

ଯାତ୍ରା ଅଭିନେତ୍ରୀ ତୃପ୍ତି ପଣ୍ଡାଙ୍କ ଦେହାନ୍ତ

ବାଲେଶ୍ୱର ୨୮ ।୪ (ଓଡ଼ିଶା ଭାସ୍କର) : ଯାତ୍ରା ଅଭିନେତ୍ରୀ ତୃପ୍ତି ପଣ୍ଡାଙ୍କ ଦେହାନ୍ତ ହୋଇଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ମୃତ୍ୟୁ ବେଳେକୁ ତାଙ୍କୁ ୩୦ ବର୍ଷ ହୋଇଥିଲା । ତୃପ୍ତି ପଣ୍ଡା ହେଉଛନ୍ତି ଅନ୍ୟତମ ପ୍ରସିଦ୍ଧ ଅଭିନେତା ବାବୁଲି ଓରଫ ସୁଶାନ୍ତ ପଣ୍ଡାଙ୍କ ପତ୍ନୀ। ଏବଂ ଅଭିନେତା ଦୈତାରୀ ପଣ୍ଡାଙ୍କ ଭାଇ ବୋହୂ।

ସୂଚନା ଅନୁସାରେ ଗତ କିଛି ଦିନ ପୂର୍ବରୁ ତୃପ୍ତି ଏବଂ ତାଙ୍କ ସ୍ୱାମୀ ସୁଶାନ୍ତ ପଣ୍ଡା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏନେଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଭିଡ୍ ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଥିଲା । ଦୁଇ ଦିନ ଆଗରୁ ତୃପ୍ତିଙ୍କର ସ୍ୱାସ୍ଥବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି । ତୃପ୍ତି ଅପେରା ଜଗତରେ ନିଜର ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିପାରି ଥିଲେ । ସେ ନିଜର ଯାତ୍ରା କ୍ୟାରିୟର ‘କୋଣାର୍କ ଗଣନାଟ୍ୟ’ ରୁ ଆରମ୍ଭ କରିଥିଲେ । ଖୁବ କମ ବୟସରେ ସେ ଯାତ୍ରା ଜଗତରେ ନିଜର ଏକ ଅଲଗା ପରିଚୟ ତିଆରି କରିପାରିଥିଲେ । ‘ବଦନାମ୍ ଗଳିର ଝିଅ’ ନାଟକଟିରେ ମୁଖ୍ୟ ଭୂମିକାରେ ଅଭିନୟ କରି ଖୁବ୍ ପ୍ରଶଂସା ପାଇବା ସହିତ ପ୍ରସିଦ୍ଧି ମଧ୍ୟ ଲାଭ କରିଥିଲେ । ତୃପ୍ତି ୫୦ରୁ ଅଧିକ ନାଟକରେ ଅଭିନୟ କରି ଲୋକମାନଙ୍କ ଠାରୁ ବାଃ ବାଃ ଲୁଟିନେଇ ଥିଲେ । ତୃପ୍ତି ଏବଂ ସୁଶାନ୍ତଙ୍କର ଏକ ୫ ବର୍ଷର ଝିଅ ମଧ୍ୟ ରହିଛି ।

ତେବେ ବର୍ତ୍ତମାନ ଯାଏ ସୁଶାନ୍ତ ପଣ୍ଡା କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟପଟେ ଗତକାଲି ସକାଳେ ଯାତ୍ରା ଜଗତର ଆଉ ଜଣେ ହାସ୍ୟ ଅଭିନେତା ଜଗବଦ୍ଧୁ ରାଉତଙ୍କର କରୋନା ଯୋଗୁ ମୃତ୍ୟୁ ହୋଇଯାଇଛି ।

 

Get real time updates directly on you device, subscribe now.